ନୟାଗଡ: ଦେଶରେ ନୂତନ ଶିକ୍ଷା ନୀତି ଲାଗୁ ହୋଇଛି । ଏପଟେ ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ପିଏମଶ୍ରୀ ସ୍କୁଲରେ ପରିଣତ ହୋଇଛି । ସୁଉଚ୍ଚ ଅଟ୍ଟାଳିକା ସହିତ ସ୍ମାର୍ଟ୍ କ୍ଳାସରୁମ ମଧ୍ୟ ତିଆରି ହୋଇଛି । କିନ୍ତୁ ପାଠପଢ଼ା ହେଉଛି କି ନାହିଁ ସେ ସମ୍ପର୍କରେ ତଦାରଖ କରାଯାଉନାହିଁ । ଫଳରେ ଅନେକ ବିଦ୍ୟାଳୟରେ ଏବେ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ପାଲଟିଗଲାଣି । ନୟାଗଡ ଜିଲ୍ଲା ଗଣିଆ ବ୍ଳକ ରାଜିଙ୍ଗି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ଛାତ୍ର ଛାତ୍ରୀ ପାଖାପାଖି ୧୪୫ ଜଣ ଅଛନ୍ତି କିନ୍ତୁ ଖେଳ ଶିକ୍ଷକ ପଢ଼ାଉଛନ୍ତି ଇଂରାଜୀ । ନିଜେ ପ୍ରଧାନଶିକ୍ଷୟତ୍ରୀ ପଢ଼ାଉଛନ୍ତି ହିନ୍ଦୀ । ଏ ହେଉଛି ବାସ୍ତବ ଚିତ୍ର ।
ଗଣିଆ ବ୍ଳକ ରାଜିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ୧୪୫ ଜଣ ଛାତ୍ର ଛାତ୍ରୀ । ତେବେ ଦୁଃଖ ଏବଂ ପରିତାପର ବିଷୟ ଏଠାରେ ୯ମ ଶ୍ରେଣୀରେ ଇଂରାଜୀ ପଢ଼ାଉଛନ୍ତି ଖେଳ ଶିକ୍ଷକ । ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଧରି ଏଭଳି ଚାଲୁରହିଛି । ଏପରି ଅବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ’ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଦୀର୍ଘ ଦିନ ହେବ ହିନ୍ଦୀ ଶିକ୍ଷକ ନଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ହିନ୍ଦୀ ପଢ଼ାଉଛନ୍ତି । ଦୀର୍ଘ ଦିନ ଧରି ଏଭଳି ଅବସ୍ଥା ଥିଲେ ମଧ୍ୟ ଗଣିଆରେ ଶିକ୍ଷା ବିଭାଗ କୋମାରେ ଥିବା ପରିଲିକ୍ଷିତ ହେଉଛି ।
ଗଣିଆ ହେଡକ୍ବାର୍ଟର ଠାରୁ ୨୦ କିଲୋମିଟର ଦୂରରେ ଥିବା ଉକ୍ତ ବିଦ୍ୟାଳୟକୁ ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନଥିବା ଅଭିଯୋଗ କରିଛନ୍ତିି ଅଭିଭାବକ । ଖେଳ ଶିକ୍ଷକ ଇଂରାଜୀ ପଢ଼ାଉଥିବା ଘଟଣା ବିଭାଗୀୟ ଅଧିକାରୀ ଜାଣିଛନ୍ତି ନା ଜାଣିଶୁଣି ନଜାଣିବାର ଅଭିନୟ କରୁଛନ୍ତି । ଏତଦବ୍ୟତୀତ ଉକ୍ତ ବିଦ୍ୟାଳୟରେ ଦୀର୍ଘ ଦିନ ହେବ କିରାଣୀ ନଥିବା ବେଳେ ବିଦ୍ୟାଳୟ ଚାରିପାଖେ ପାଚେରୀ ନାହିଁ, ଖେଳପଡିଆ ନାହିଁ, କମ୍ପୁଟର ଲ୍ୟାବ ନାହିଁ କି ଆବଶ୍ୟକୀୟ ଶ୍ରେଣୀଗୃହ ମଧ୍ୟ ନାହିଁ । କହିବାକୁ ଗଲେ ଭିତ୍ତିଭୂମିର ସଂପୂର୍ଣ୍ଣ ଅଭାବ ଦେଖିବାକୁ ମିଳିଛି ଉକ୍ତ ବିଦ୍ୟାଳୟରେ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥିବା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏ ହେଉଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ।
ଆଗାମୀ ଶିକ୍ଷା ବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ଯଦି ଶିକ୍ଷକ ନିଯୁକ୍ତି ନହୁଅନ୍ତି ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ଏଥିରେ ସନ୍ଦେହ ନାହିଁ ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନଶିକ୍ଷୟତ୍ରୀ ଡ଼ ସୁସ୍ମିତା ଦାଶଙ୍କୁ ପଚାରିବାରୁ ସେ ବାରମ୍ବାର ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି । ତେବେ ଛାତ୍ରଛାତ୍ରୀ ମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଉକ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ସହିତ ଆବଶ୍ୟକତା ପୂରଣ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।