ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି । ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨,୮୮,୩୭,୯୧୩/- ଟଙ୍କା ଲାଭାଂଶ ପ୍ରଦାନ କରାଯାଇଅଛି । ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଲାଭାଂଶ ରାଶି ପ୍ରଦାନ କରିଛନ୍ତି ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ନିଗମର ମୋଟ ଲାଭ ହେଉଛି ୧୯,୨୨,୫୨,୭୫୧/- ଟଙ୍କା । ଏହି ବର୍ଷ ପାଇଁ ମୋଟ ଲାଭର ୩୦% ହିସାବରେ ଡିଭିଡେଣ୍ଡ୍ ରାଶି ହେଉଛି ୫,୭୬,୭୫,୮୨୬/ ଟଙ୍କା । ଏହି ଡିଭିଡେଣ୍ଟ ରାଶି କୁ ଉଭୟ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ସମ ପରିମାଣରେ ଅର୍ଥାତ ପ୍ରତିଟି ଅଂଶୀଦାରଙ୍କୁ ୨,୮୮,୩୭,୯୧୩/- ଟଙ୍କା ପ୍ରଦାନ କରାଯାଇଅଛି ।
ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, , ପଣ୍ୟାଗାର ନିଗମର ସଚିବ ତଥା ବିତ୍ତ ପରାମର୍ଶଦାତା ସ୍ମିତାଞ୍ଜଳି ସ୍ୱାଇଁ, ମୁଖ୍ୟ ସାଧାରଣ ପରିଚାଳକ ତୃପ୍ତି କଲ୍ୟାଣ ସେଠୀ, ବରିଷ୍ଠ ଅଧୀକ୍ଷକ ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା । ଏହାର ଷ୍ଟୋରେଜ୍ କ୍ଷମତା ହେଉଛି ୫,୨୧,୬୦୦ ମେଟ୍ରିକ ଟନ୍ । ରାଜ୍ୟର ୩୦ଟି ଜିଲ୍ଲାରେ ୬୮ଟି ଗୋଦାମ ରହିଛି । ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ନିୟମିତ ଭାବରେ ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରୁଅଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୮୧,୫୯,୮୪୫/- ଟଙ୍କା ପ୍ରଦାନ କରାଯାଇଥିଲା | ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୩,୪୦,୬୪,୧୦୫/- ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୪, ୩୬, ୩୧, ୨୫୧/- ଟଙ୍କା ପ୍ରଦାନ କରାଯାଇଥିଲା ।