ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ପ୍ରଦୀପ୍ତ ନାୟକ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ବିଧାନସଭାରେ ଆଜି ବି ପରୀ ହତ୍ୟା ଘଟଣାକୁ ନେଇ ଝଡ ଉଠିଛି। ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉଥିବା ନେଇ ବିଜେପି ଅଭିଯୋଗ କରିଛି । ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଏଥିସହ SIT ତଦନ୍ତ ନିର୍ଦ୍ଦେଶର ସ୍ପଷ୍ଟତା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛି। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିବୃତି ନେଇ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିବାଦ କରିଛନ୍ତି। ସେ କହିଛନ୍ତି, “ ଏ ପ୍ରସଙ୍ଗରେ ଚାରିଟି ଦିଗରୁ ବିବୃତି ରଖିବା ଲାଗି ବାଚସ୍ପତି ସୂଯର୍ୟନାରାୟଣ ପାତ୍ର ରୁଲିଂ ଦେଇଥିବାବେଳେ ମନ୍ତ୍ରୀ କେବଳ ଗୋଟିଏ ବିଷୟରେ ଉତ୍ତର ଦେଇଥିଲେ । ଅନ୍ୟ ୩ଟି ଦିଗକୁ ଏଡ଼ାଇ ଯାଇଥିଲେ । ଅଭିଯୋଗ ଆସିଥିବା କୃଷିମନ୍ତ୍ରୀଙ୍କ ସଂପର୍କରେ କିଛି କହିଲେ ନାହିଁ ।” ଏହାକୁ ନେଇ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହାସହ ଏସ୍ଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ପ୍ରକଶ ପାଉଥିବାବେଳେ ଏ ସଂପର୍କରେ ସ୍ପଷ୍ଟୀକରଣ ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି । ସେପଟେ ପରୀ ହତ୍ୟା ଘଟଣାର ତଦନ୍ତ ନେଇ କୋର୍ଟ ମନିଟର ଏସଆଇଟ ଗଠନ ହେବ । ଏନେଇ ଗୃହରେ ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ରଖିଛନ୍ତି । ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।