“ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ମୋ ପାଇଁ ପ୍ରେରଣାର ଉତ୍ସ”

୫୦ ତମ ଜନ୍ମଦିନରେ ଶୁଭେଚ୍‌ଛାର ସୁଅ

୨୦,୦୦୦ ରୁ ଅଧିକ ଲୋକଙ୍କ ସମାଗମ

ବିଭିନ୍ନ ସାମାଜିକ ସଂଗଠନ ଓ ମିଟୁ ସେନା ପକ୍ଷରୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍‌ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କର ୫୦ ତମ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି । ରାଜ୍ୟର ନେତୃମଣ୍ଡଳୀ ଜନ୍ମଦିନର ଶୁଭେଚ୍‌ଛା ଓ ଶୁଭକାମନା ଜଣାଇବା ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସଦିଚ୍‌ଛା ଜଣାଇଛନ୍ତି । ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ସାଂସଦ ଓ ବିଧାୟକବୃନ୍ଦ ଦୂରଭାଷ ଯୋଗେ, ସାମାଜିକ ଗଣମାଧ୍ୟମରେ ଶୁଭେଚ୍‌ଛା ଓ ସଦିଚ୍‌ଛା ଜଣାଇଛନ୍ତି ।

ଜନ୍ମଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ମାନ୍ୟବର ମନ୍ତ୍ରୀ ରକ୍ତଦାନ ଓ ଚାରା ବଣ୍ଟନ କରିଛନ୍ତି । ଏହା ସହ ନିଶୁକ୍ଳ ସ୍ୱାସ୍ଥ୍ୟ ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେ କହିଛନ୍ତି, “ଜନସେବାରେ ତାଙ୍କୁ ଗଭୀର ଆତ୍ମସନ୍ତୋଷ ମିଳିଛି ଏବଂ ଲୋକଙ୍କ ସେବାରେ ଏ ଜୀବନର ସାର୍ଥକତା ରହିଛି । ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ।”

ଆଜି ସକାଳେ ମାନ୍ୟବର ମନ୍ତ୍ରୀ ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବ ଜୀଉ ଓ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ଦର୍ଶନ କରି ଜନସେବାକୁ ବ୍ୟାପକ କରିବା ପାଇଁ ଅସୀମ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ । ଦେବ ସେବା ଓ ଗୋ ସେବାରୁ ଦିବସର ଶୁଭାରମ୍ଭ କରି ଜନସେବାରେ ବ୍ରତୀ ହୋଇଥିଲେ । ଆୟୋଜକଙ୍କ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ, ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ବ୍ରହ୍ମପୁର ଓ ଭଞ୍ଜନଗର ବ୍ଲଡ୍‌ ବ୍ୟାଙ୍କ ପକ୍ଷରୁ ମାଗଣା ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ୩୦୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ପୋଲସରା ଲୁଣିଘାଟି ପଡିଆଠାରେ ଆୟୋଜିତ ଏହି ଜନ୍ମଦିନ ସମାରୋହରେ ପ୍ରାୟ ୨୦୦୦୦ ରୁ ଅଧିକ ଶୁଭେଚ୍‌ଛୁ ମାନ୍ୟବର ମନ୍ତ୍ରୀଙ୍କୁ ଭେଟି ୫୦ ତମ ଜନ୍ମ ଦିବସର ଅଭିନନ୍ଦନ ଜଣାଇଥିଲେ । ଏହି ସମାରୋହରେ ମାନ୍ୟବର ସଡକ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା; ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍ତସାମନ୍ତ, ଜିଲ୍ଲା ବିଜେପି ସଭାପତି, ବହୁ ବରିଷ୍ଠ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଅଭିନନ୍ଦନ ଜଣାଇଥିଲେ ।