ଆଜି ଶ୍ରୀମନ୍ଦିରରେ ଜଳକ୍ରୀଡ଼ା ଉତ୍ସବ

ପୁରୀ: ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଅବସରରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ତଥା ଶମ୍ଭୁ ଏକାଦଶୀରେ ଠାକୁରଙ୍କ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରଠାକୁରାଣୀ ବିଜେ ହୋଇ ଏହି ଦେବବିଧି ସମ୍ପନ୍ନ ହେବ । ଠାକୁରଙ୍କ ଆଲଟଲାଗି ଓ ଚନ୍ଦନଲାଗି ନୀତି ବଢିଲା ପରେ ଯାତଭୋଗ ସରିଲେ ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ ।

ସୁବାସିତ ପୁଷ୍ପ, କର୍ପୂର, ଚନ୍ଦନ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ ଯୁକ୍ତ ଜଳରେ ଠାକୁରେ ଅଧିଷ୍ଠିତ ହେବେ । ପୂଜାପଣ୍ଡା ସାଆନ୍ତ ପଞ୍ଚୋପଚାରରେ ଶୀତଳ ଭୋଗ ଅର୍ପଣ କରିବେ । ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ମୁଦିରସ୍ତ ପ୍ରସାଦ ଲାଗି କରିବେ । ଚନ୍ଦନ ଜଳ ପିଚକାରୀ ଖେଳ ହେବ । ଏଭଳି ଜଳକ୍ରୀଡ଼ା ନୀତି ସରିଲେ ଦେବଦେବୀ ନିଜ ନିଜ ଆସ୍ଥାନକୁ ଫେରିବେ । ଏଥିସହ ସେଦିନ ଶମ୍ଭୁ ଏକାଦଶୀର ସ୍ୱତନ୍ତ୍ର ନୀତି ମଧ୍ୟ ଅନୁଷ୍ଠିତ ହେବ ।