ଭୁବନେଶ୍ୱର: ୨୦୨୬ରେ ପ୍ରଥମ ଲଢେ଼ଇ ହେବ ରାଜ୍ୟସଭା ପାଇଁ। ଚାରିଟି ଆସନକୁ ଭୋଟର ୧୪୭। ଅଙ୍କ ଦୃଷ୍ଟିରୁ ୨ଟି ବିଜେପିକୁ, ଗୋଟିଏ ବିଜେଡିକୁ ଯିବା ନିଶ୍ଚିତ। ଚତୁର୍ଥ ଆସନକୁ ନେଇ ଜମିବ ଖେଳ। କିଏ ବାଜିମାତ୍ କରିବ? ୨୦୨୬ର ଏହି ଲଢେ଼ଇଟି ସତରେ ଭାରି ମଜାଦାର ହେବ।
ଓଡିଶାର ୪ ରାଜ୍ୟସଭା ଆସନ ଖାଲି ହେଉଛି। ଏପ୍ରିଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ କାର୍ୟ୍ୟକାଳ ସରୁଛି। ପ୍ରଥମେ ଏହି ୪ଟି ଯାକ ଆସନ ବିଜେଡିର ଥିଲା। ମାତ୍ର ରାଜ୍ୟରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଅଙ୍କ ବଦଳିଥିଲା। ସୁଜିତ କୁମାର ଓ ମମତା ମହାନ୍ତ ବିଜେଡି ଛାଡି ପୁନର୍ବାର ବିଜେପିରୁ ରାଜ୍ୟସଭା ଯାଇଥିଲେ। ଏବେ ୪ ଆସନରୁ ୨ଟି ବିଜେଡିର, ୨ଟି ବିଜେପିର। ଅଙ୍କ କହୁଛି, ବିଜେପିକୁ ୨ ଓ ବିଜେଡି ଖାତାକୁ ଗୋଟିଏ ଆସନ ଯିବାରେ କିଛି ଅସୁବିଧା ହେବନି। ଆଖି ରହିଛି ଚତୁର୍ଥ ଆସନ ଉପରେ। ପ୍ରଶ୍ନ ଉଠୁଛି, କୋଉ ଦଳ କେତୋଟି ପ୍ରାର୍ଥୀ ଛିଡ଼ା କରିବ? କଂଗ୍ରେସ ନିର୍ବାଚନରେ ଭାଗ ନେବ? ବର୍ତମାନ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯। ତିନୋଟି ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ, ବିଜେପିର ପାୱାର ୮୨। ବିଜେଡି ବିଧାୟକଙ୍କ ସଂଖ୍ୟା ୫୦। କଂଗ୍ରେସ ୧୪, ସିପିଆଇଏମ ୧। ହିସାବ କହୁଛି, ଯେଉଁ ରାଜ୍ୟସଭା ପ୍ରାର୍ଥୀ ୩୧ଟି ଭୋଟ ପାଇବେ, ସେ ନିର୍ବାଚିତ ହେବେ। ବିଜେପି ପାଖରେ ଯେତିକି ବିଧାୟକ ଅଛନ୍ତି, ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିବେ। ଏହାବାଦ୍ ବିଜେପି ପାଖରେ ଆହୁରି ୨୦ ଜଣ ବିଧାୟକ ଅଛନ୍ତି। ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେପିକୁ ଦରକାର ୧୧ ବିଧାୟକ।
ସେହିପରି ବିଜେଡିର ନିଜର ପ୍ରଥମ ପ୍ରାର୍ଥୀଙ୍କୁ ଜିତାଇବା ପରେ ଆହୁରି ୧୯ ବିଧାୟକ ରହୁଛନ୍ତି। ଯଦି ବିଜେଡି ଦ୍ୱିତୀୟ ପ୍ରାର୍ଥୀ ଦିଏ ଆଉ ୧୨ ଜଣ ବିଧାୟକଙ୍କ ଭୋଟ ଦରକାର ପଡିବ। ସିପିଆଇଏମ ବିଧାୟକଙ୍କ ସମର୍ଥନ ମିଳିବା ପରେ ବି ଆଉ ୧୦ ବିଧାୟକ ଦରକାର ପଡିବେ। ଯଦି କଂଗ୍ରେସ ସମର୍ଥନ ଦିଏ କିମ୍ବା ବିରୋଧୀ ଦଳ କୌଣସି ମିଳିତ ପ୍ରାର୍ଥୀ ଦିଅନ୍ତି, ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିପାରିବେ।