ବିଦ୍ୟାଳୟ ସତରେ ଦଣ୍ଡମୁକ୍ତ ଅଂଚଳ!

ଣ୍ଡମୁକ୍ତ ଶିକ୍ଷା ସହିତ, ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟଗୁଡିକ …

ଣ୍ଡମୁକ୍ତ ଶିକ୍ଷା ସହିତ, ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟଗୁଡିକ ନିଜର ପାରଦର୍ଶିତା ପ୍ରମାଣ କରି ଚାଲିଛନ୍ତି। ସରକାରୀ ରେକର୍ଡ, ବିଦ୍ୟାଳୟ ସତ୍ୟପାଠ, ଶିକ୍ଷା ରିପୋର୍ଟ ଏବଂ ଅନୁପାଳନ ଅଡିଟ୍‌ ଆଜି ଆମ ବିଦ୍ୟାଳୟଗୁଡିକୁ ଶାରୀରିକ ଦଣ୍ଡମୁକ୍ତ ଜୋନ୍‌ ଭାବରେ ଦର୍ଶାଏ। ୨୦୨୧ର ସରକାରୀ ତଥ୍ୟ ଦର୍ଶାଉଛି ଯେ, ପୂର୍ବ ଦଶନ୍ଧି ତୁଳନାରେ ବିଦ୍ୟାଳୟମାନଙ୍କରେ ଶାରୀରିକ ଦଣ୍ଡର ମାମଲା ହ୍ରାସ ପାଇଛି। ଆଜିକାଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଦଣ୍ଡ ଭୟରେ ପିଲାଙ୍କୁ ଦଣ୍ଡ ଦେବାକୁ ଭୟ କରୁଛନ୍ତି। ନାହିଁ ଆଉ ସେଇ କାନମୋଡା ଗାଲ ଚାପୁଡା କି ବେତପାହାର। ପିଠିରେ ଆଜିକାଲି ଆଉ ଲାଗୁନାହିଁ ତେଲ କି ଜଙ୍ଘରେ ପଡୁନାହିଁ ଆଉ ନାଲି ନାଳା। ଏହି ଦଣ୍ଡମୁକ୍ତ ଶିକ୍ଷା ତଳେ କିନ୍ତୁ ଦଣ୍ଡର ଅନ୍ୟ ଏକ ରୂପ ନିଜର କାୟା ମେଲାଇ ଚାଲିଛି, ଯାହା ଶାରୀରିକ କ୍ଷତ ଅପେକ୍ଷା ପିଲାଙ୍କ ଉପରେ ଗଭୀର ପ୍ରଭାବ ପକାଉଛି। ଆଜିକାଲି ବିଦ୍ୟାଳୟମାନଙ୍କରେ ଶାରୀରିକ ଦଣ୍ଡ ତ କାଁ ଭାଁ ଦେଖିବାକୁ ମିଳୁଛି, ହେଲେ ଦେଖାଯାଉ ନଥିବା ମାନସିକ ଦଣ୍ଡ, ପିଲାଙ୍କ ପିଲାଦିନ ଓ ଭବିଷ୍ୟତକୁ ଧୀରେ ଧୀରେ ଖାଇଚାଲିଛି। ଶ୍ରେଣୀଗୃହରେ ଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ କରାଯାଉଥିବା ମୌଖିକ ଆକ୍ରମଣ, ଅପମାନ, ଅପବ୍ୟବହାର, ଅବହେଳା, ଭେଦଭାବ, ଲେବେଲିଂ ଏବଂ ଧମକ ଏକ ଅଦୃଶ୍ୟ ବିଷ ଭଳି, ଯାହା ଶାରୀରିକ ଦଣ୍ଡ ତୁଳନାରେ ଅତି ଭୟଙ୍କର। ତାହା ଛଡା ପିଲାଙ୍କ ଶରୀରରେ ଦଣ୍ଡଜନିତ ଚିହ୍ନ ଦେଖାଦିଏ, ପରେ ସେଥିପାଇଁ ପ୍ରତିବାଦ ହୁଏ ଓ ପରବର୍ତୀ ସମୟରେ ଦଣ୍ଡ ଯୋଗୁଁ ଦଣ୍ଡ ମଧ୍ୟ ମିଳିଥାଏ। ପିଲାଙ୍କ ମନରେ ଆଘାତ ବା କ୍ଷତ ହେଲେ ତାହା ନା ତ କିଏ ସହଜରେ ଦେଖିପାରେ, ନା ତ ଜାଣିପାରେ। ସ୍କୁଲରେ ଶାରୀରିକ ଦଣ୍ଡ ସିନା ଅଛି, ହେଲେ ଅଦୃଶ୍ୟ ବା ସୁରାଗ ବିହୀନ ସେଇ ମାନସିକ ଦଣ୍ଡର ନା ଅଛି କିଛି ମାନକ ନା ଦଣ୍ଡବିଧାନ।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ୱାରା ୨୦୧୮ରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ୪୨% ଛାତ୍ର ଶିକ୍ଷକଙ୍କଠାରୁ ମୌଖିକ ଅପବ୍ୟବହାରର ସମ୍ମୁଖୀନ ହୋଇଥିବା ବେଳେ, ୩୬% ଅପମାନିତ ହୁଅନ୍ତି। ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ପ୍ରକାଶ କରିଛି ଯେ, ପ୍ରତି ଆଠ ଜଣ ସ୍କୁଲ୍‌ ଯାଉଥିବା କିଶୋରଙ୍କ ମଧ୍ୟରୁ ପ୍ରାୟ ଜଣେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କ ମୂଳଦୁଆ ସ୍କୁଲ ପରିବେଶରେ ରହିଛି, ଯାହା ଭୟ, ଲଜ୍ଜା ଏବଂ ଆବେଗିକ ଚାପରୁ ସୃଷ୍ଟି ହୋଇଥାଏ । ଏବେକାର ଶ୍ରେଣୀଗୃହରେ ପିଲାଙ୍କୁ ସିନା ଶାରୀରିକ ପ୍ରହାର କରାଯାଉନାହିଁ, ହେଲେ ମାନସିକ ପ୍ରହାରର କ’ଣ, ଯାହା ସେମାନଙ୍କର ଆତ୍ମବିଶ୍ୱାସକୁ କ୍ଷତବିକ୍ଷତ କରିଦେଉଛି? ବିଡମ୍ବନା ଏହା ଯେ, ପିଲାଙ୍କୁ ଶ୍ରେଣୀଗୃହରେ ଚାପୁଡା ମାରିବା ଆଜି ବେଆଇନ, ହେଲେ କଟୁକଥା ମାଧ୍ୟମରେ ଲଜ୍ଜିତ କରିବା, ପାତରଅନ୍ତର କରିବା ବା ମାନସିକ ଆକ୍ରମଣ କରିବାର କୌଣସି କୈଫିୟତ ନାହିଁ। ଶ୍ରେଣୀଗୃହରେ ପାଠ ବୁଝିନ ପାରୁଥିବା ହେତୁ ଶିକ୍ଷକଙ୍କ ଦ୍ୱାରା ଉପହାସ କରିବା, ପ୍ରଶ୍ନ ପଚାରିଲେ ଗାଳି କରିବା, ସାଥୀପିଲାଙ୍କ ସାଙ୍ଗରେ ତୁଳନା କରି ଅପମାନିତ କରିବା କିମ୍ବା ସର୍ବ ସାଧାରଣରେ ଅପମାନିତ କରି ମାନସିକ ଭାବେ ଦୁର୍ବଳ କରିଦେବା ଭଳି କୌଣସି ଦଣ୍ଡ, ପରିସଂଖ୍ୟାନ ଦୃଷ୍ଟିରୁ ଦଣ୍ଡ ଭାବରେ ଆଜିଯାଏଁ ଅଣଦେଖା? ଯେହେତୁ ମାନସିକ ଦଣ୍ଡର କ୍ଷତ ଆଖିକୁ ଦେଖାଯାଏ ନାହିଁ, ଏହାର ହିସାବ ଦଣ୍ଡ ତାଲିକାରେ ଅଦୃଶ୍ୟ। ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟହୀନ, ଅକ୍ଷମ, ବୋଝ କହିବା ବା “ତୁମେ ଜୀବନରେ କେବେ ସଫଳ ହେବନାହିଁ’ ବୋଲି କହିବା ବା “ମୂର୍ଖ’ କି “ଗଧ’ କହି ସମ୍ବୋଧିତ କରିବା ବା ଅଭଦ୍ର ଭାଷା ପ୍ରୟୋଗ କରିବା କ’ଣ ଉଚିତ କି? ଏହି ସମସ୍ୟା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଅଧିକ ପ୍ରଚଳିତ। କାରଣ ଛୋଟ ଛୋଟ ପିଲାମାନେ ଭାବନ୍ତି ତାହା ଶିକ୍ଷକଙ୍କର ଭୂମିକା, ତାଙ୍କର ଡ୍ୟୁଟି ଓ ଅଭିଯୋଗର ପନ୍ଥା ଜାଣି ନପାରି ନିରବ ରହିଯାନ୍ତି। ମାନସିକ ଦଣ୍ଡ ପିଲାମାନଙ୍କ ମାନସିକ, ଶୈକ୍ଷିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଅବାଞ୍ଛନୀୟ ପ୍ରଭାବ ପକାଇଥାଏ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାଥମିକ ଏବଂ ମାଧ୍ୟମିକ ଶ୍ରେଣୀ ହେଉଛି ଏମିତି ଏକ ସୋପାନ, ଯାହା ଟେକ-ଅଫ୍‌ ଏବଂ ପରିବର୍ତନର ପର୍ଯ୍ୟାୟକୁ ଦର୍ଶାଇଥାଏ। ସେହି ସମୟରେ ଯଦି ପିଲାଙ୍କୁ ବାରମ୍ବାର ପରିହାସ କରାଯାଏ, ତୁଳନା କରାଯାଏ, ‘ଧୀର’ ବୋଲି ଆଖ୍ୟା ଦିଆଯାଏ କିମ୍ବା ପ୍ରଶ୍ନ କରିବାରେ ନିରୁତ୍ସାହିତ କରାଯାଏ, ସେମାନେ ନିଜର ଆତ୍ମବିଶ୍ୱାସ, କଳ୍ପନା ଶକ୍ତି ଏବଂ ନିଜସ୍ୱକୁ ହରାଇଥାନ୍ତି। ଯଦି ଥାପଡ ମାରିବା ହିଂସା, ତେବେ ଅପମାନ କରିବା ହିଂସା ନୁହେଁ କି? ଯଦି ମାଡ ମାରିବା ଦ୍ୱାରା ଶିକ୍ଷା ବାଧାପ୍ରାପ୍ତ ହୁଏ, ତେବେ ଲଜ୍ଜିତ କରିବା, ଗଧ ବୋଲି ସମ୍ବୋଧିତ କରିବା, ପକ୍ଷପାତ କରିବା, ଶିକ୍ଷା ପ୍ରତି ଏକ ଆହ୍ୱାନ ନୁହେଁ କି? ଯଦି ଶାରୀରିକ ଦଣ୍ଡଦ୍ୱାରା ହେଉଥିବା କ୍ଷତକୁ ଗଣିହେଉଛି ବା ଅପରାଧ ବୋଲି ମଣିହେଉଛି, ତେବେ ଭାଙ୍ଗି ଦିଆଯାଉଥିବା ମନ ଓ ଆତ୍ମବିଶ୍ୱାସକୁ କାହିଁକି ଗଣନା ଓ ଅପରାଧ ପରିସରକୁ ନିଆ ହେଉନାହିଁ? ପିଲାମାନଙ୍କ ବିରୋଧରେ ହିଂସା ଉପରେ ୟୁନିସେଫ୍‌ର ଏକ ବିଶ୍ୱସ୍ତରୀୟ ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟ ପରିବେଶରେ ଭାରତୀୟ ପିଲାମାନେ ବିଶ୍ୱବ୍ୟାପୀ ମୌଖିକ ହିଂସାର ସର୍ବାଧିକ ଶିକାର ହେଉଛନ୍ତି। ଆସେର୍‌ ଏବଂ ୟୁ.ଡି.ଆଇ.ଏସ୍‌.ଇ. ରିପୋର୍ଟ ସମେତ ଏକାଧିକ ଅଧ୍ୟୟନ ଅନୁଯାୟୀ, ନିମ୍ନ ସାମାଜିକ-ଆର୍ଥିକ ଗୋଷ୍ଠୀ, ଆଦିବାସୀ ଜନସଂଖ୍ୟା, ଦଳିତ ସମ୍ପ୍ରଦାୟ, ଭିନ୍ନକ୍ଷମ ଶିଶୁ କିମ୍ବା କଥା କହିବା ଏବଂ ଶିଖିବାରେ ଅସୁବିଧା ଥିବା ପିଲାମାନେ ଶ୍ରେଣୀଗୃହରେ ଶିକ୍ଷକଙ୍କ ଦ୍ୱାରା ମାନସିକ ଅପବ୍ୟବହାର ଏବଂ ପକ୍ଷପାତର ଶିକାର ହୁଅନ୍ତି, ଯେଉଁଥିରେ ପୃଥକ ଭାବରେ ବସିବା, ଶ୍ରେଣୀରେ ଅଣଦେଖା କରିବା, ଅପମାନିତ କରିବା କିମ୍ବା ଅଧିକ କଠୋର ଦଣ୍ଡ ଦେବା ଅନ୍ତର୍ଭୁକ୍ତ । ଏହା ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଗତ ଅନୁଶାସନ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ମାନସିକ ପ୍ରହାର, ଯାହା କୌଣସି ଶାରୀରିକ ଦଣ୍ଡଠାରୁ କମ୍‌ ନୁହେଁ, ଯାହାର ପ୍ରଭାବ ତାତ୍ୱିକ ନୁହେଁ ବରଂ ସ୍ନାୟବିକ ଏବଂ ଦୀର୍ଘକାଳୀନ।

ଶିଶୁ ମନୋବିଜ୍ଞାନରେ ଗବେଷଣା ଦର୍ଶାଏ ଯେ, ଦୀର୍ଘସ୍ଥାୟୀ ଅପମାନ ଏବଂ ଭୟ, କର୍ଟିସୋଲ ସ୍ରାବକୁ ସକ୍ରିୟ କରିଥାଏ, ଯାହା ଜ୍ଞାନ, ସ୍ମୃତି ଏବଂ ଭାବପ୍ରବଣ ନିୟନ୍ତ୍ରଣ ପାଇଁ ଦାୟୀ ମସ୍ତିଷ୍କ ଅଂଚଳକୁ ପ୍ରଭାବିତ କରିଥାଏ। ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ପେଡିଆଟ୍ରିକ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ମାନସିକ ଦଣ୍ଡ ସହିତ ଉଦ୍‌ବେଗ, ସ୍କୁଲ୍‌ ଫୋବିୟା, ଆତ୍ମ-କ୍ଷତି ପ୍ରବୃତି, ଏକାଗ୍ରତାରେ ଅସୁବିଧା ଏବଂ କିଶୋରମାନଙ୍କ ମଧ୍ୟରେ ଆତ୍ମସମ୍ମାନ ହ୍ରାସ ହେବାର ଆଶଙ୍କା ରହିଥାଏ। ମାନସିକ ଦଣ୍ଡର ସବୁଠାରୁ ଧ୍ୱଂସାତ୍ମକ ପରିଣାମ ହେଉଛି ସୃଜନଶୀଳତା ଏବଂ ଜିଜ୍ଞାସା ଉପରେ ଏହାର କୁପ୍ରଭାବ । ଯେଉଁ ପରିବେଶରେ ପିଲା ପ୍ରଶ୍ନ ପଚାରିବା ପାଇଁ ଭୟ କରନ୍ତି, ନୂତନ ଧାରଣା ଉପସ୍ଥାପନ କରିବା ପାଇଁ ଗାଳି ଖାଆନ୍ତି କିମ୍ବା ଭିନ୍ନ ଭାବରେ ଚିନ୍ତା କରିବା ପାଇଁ ଲଜ୍ଜିତ ହୁଅନ୍ତି, ସେତେବେଳେ ପିଲାମାନେ ନିଜକୁ ସଙ୍କୁଚିତ କରିଦିଅନ୍ତି। ସେତେବେଳେ ସ୍କୁଲ ବା ଶିକ୍ଷାର ଲାଭ କ’ଣ ଯଦି ଭୟ, ମୁକ୍ତ ଚିନ୍ତାଧାରା ଠାରୁ ଅଧିକ, ଅନୁରୂପତା, କୌତୂହଳକୁ ଦମନ କରେ ଏବଂ ନିରବତା, ପ୍ରଶ୍ନ ଅପେକ୍ଷା ଅଧିକ ପୁରସ୍କୃତ ହୁଏ।

ଏହିସବୁ ସମସ୍ୟାର ସମାଧାନ କାହା ପାଖରେ? ଯେତେବେଳେ ଆମେ ଆମ ପିଲାଙ୍କ ଭବିଷ୍ୟତକୁ ନେଇ ଏତେ ଯତ୍ନବାନ, ସେତେବେଳେ ସମସ୍ୟାର ସମାଧାନ ଜରୁରି ନା ସମସ୍ୟାର ପ୍ରତିରୋଧ ତା’ଠାରୁ ବେଶି ଆବଶ୍ୟକ? ଏହାର ଉତର, ମୁଖ୍ୟତଃ ଆମେ କାହାକୁ ଶିକ୍ଷକ ଭାବେ ନିଯୁକ୍ତି କରୁଛେ ଏବଂ ପରବର୍ତୀ ସମୟରେ ସେମାନଙ୍କୁ କିପରି ପ୍ରସ୍ତୁତ କରୁଛେ ତାହା ଉପରେ ନିର୍ଭର କରେ। ଭାରତରେ ଶିକ୍ଷକ ଚୟନ ଏପର୍ଯ୍ୟନ୍ତ ଡିଗ୍ରୀ ଏବଂ ବିଷୟ ଜ୍ଞାନକୁ ପ୍ରାଥମିକତା ଦେଉଛି, ଯେଉଁଥିରେ ଭାବପ୍ରବଣ ସୁସ୍ଥତା, ସହାନୁଭୂତି, ସ୍ୱଭାବ, ଚାପ ପରିଚାଳନା, ଯୋଗାଯୋଗ କ୍ଷମତା, ନୈତିକତା କିମ୍ବା ମନସ୍ତାତ୍ୱିକ ବୁଝାମଣା ଭଳି ଗୁଣର କୌଣସି ସ୍ଥାନ ନାହିଁ। ଏକାଡେମିକ୍‌ ଦକ୍ଷତା ଜଣେ ବ୍ୟକ୍ତିଙ୍କୁ ଶିକ୍ଷାଦାନ କରିବାକୁ ଯୋଗ୍ୟ କରିପାରେ, କିନ୍ତୁ ଶିକ୍ଷକ ହୋଇ ବ୍ୟକ୍ତି ବା ବ୍ୟକ୍ତିତ୍ୱ ଗଠନ ଲାଗି ସମ୍ପୂର୍ଣ୍ଣ ଉପଯୁକ୍ତ କରି ନପାରେ। ମଣିଷ ଗଢ଼ା ଏହି କାରଖାନାର ବିନ୍ଧାଣୀଟି କିପରି ହେବା ଆବଶ୍ୟକ ସେ ବିଷୟରେ ଆମେ କ୍ୱଚିତ ଚିନ୍ତା କରୁ। ବିଶେଷ କରି ଯେତେବେଳେ ସେଇ ବିନ୍ଧାଣୀଟି କୋମଳମତି ପିଲାମାନଙ୍କୁ ଭବିଷ୍ୟତର ସୁନାଗରିକ କରି ଗଢ଼ିବାର ଏକ ଗୁରୁଦାୟିତ୍ୱ ନେଇଥାଏ ଓ ଜଣେ ପ୍ରାଥମିକ କିମ୍ବା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଜଣେ ପ୍ରଶିକ୍ଷକ ଠାରୁ ଅଧିକ ହେବା ଆବଶ୍ୟକ। ଶିକ୍ଷକ ନିଯୁକ୍ତି, ସାଇକୋମେଟ୍ରିକ୍‌ ସ୍କ୍ରିନିଂ, ଭାବପ୍ରବଣ ବୁଦ୍ଧି ମୂଲ୍ୟାଙ୍କନ, ପକ୍ଷପାତ ମୂଲ୍ୟାଙ୍କନ, କ୍ରୋଧ ପ୍ରତିକ୍ରିୟା ପରୀକ୍ଷା ଏବଂ ବ୍ୟାବହାରିକ ଅନୁକରଣକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ, ଯାହାଫଳରେ ପିଲାମାନଙ୍କୁ ସଠିକ୍‌ ଭାବରେ ଅନୁଧ୍ୟାନ ଓ ଅନୁଶାସନ କରିବାରେ ସହାୟକ ହେବ।

ଶିଶୁ ମନୋବିଜ୍ଞାନ, ଆଘାତ-ସୂଚିତ ଶିକ୍ଷାଦାନ, ଅହିଂସାତ୍ମକ ଯୋଗାଯୋଗ ଏବଂ ମାନସିକ ସ୍ୱାସ୍ଥ୍ୟ ସାକ୍ଷରତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ତାଲିମ, ଶିକ୍ଷାଶାସ୍ତ୍ର ବାହାରେ ବିସ୍ତାର କରିବା ଆବଶ୍ୟକ। ଶିକ୍ଷକମାନଙ୍କୁ କେବଳ ପାଠ୍ୟକ୍ରମ ସମାପ୍ତ କରିବା ଉପରେ ନୁହେଁ, ବରଂ ଆତ୍ମବିଶ୍ୱାସ ପୋଷଣ, ଭୟ ହ୍ରାସ ଏବଂ ସ୍ୱାଧୀନ ଚିନ୍ତାଧାରାକୁ ପ୍ରେରଣା ଦେବାର ଦକ୍ଷତା ଉପରେ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ। ଏହି ପରିସଂସ୍ଥାକୁ ପୁନଃ ଗଠନ କରିବାରେ ପିତାମାତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଯେତେବେଳେ ପିଲାଙ୍କ ନିରବତା ଦୃଷ୍ଟିଗୋଚର ହୁଏ, ଯେତେବେଳେ ପିଲାମାନେ ବିଦ୍ୟାଳୟ ଯିବା ପୂର୍ବରୁ ଦ୍ୱିଧା ପ୍ରକାଶ କରନ୍ତି, ଯେତେବେଳେ ସେମାନଙ୍କର ଆତ୍ମସମ୍ମାନ ହ୍ରାସ ପାଏ, ଯେତେବେଳେ ସେମାନଙ୍କର ସୃଜନଶୀଳତା ସଙ୍କୁଚିତ ହୁଏ, ଯେତେବେଳେ ପ୍ରଶଂସା ସେମାନଙ୍କ ପାଇଁ ଅପରିଚିତ ଅନୁଭବ ହୁଏ, ସେତେବେଳେ ପିତାମାତା ଏହି ଲକ୍ଷଣଗୁଡିକୁ “ବିଦ୍ୟାଳୟ ଚାପ’ କିମ୍ବା “କଠୋର ଅନୁଶାସନ’ ଭାବରେ ସ୍ୱାଭାବିକ ଭାବିବା ଅନୁଚିତ, କାରଣ ବେଳେବେଳେ ପିଲାଙ୍କ ନିରବତା ଭିତରେ ଲୁଚି ରହିଥାଏ ଏକ ଚିତ୍କାର।

ଶାସନ ସ୍ତରରେ, ମାନସିକ ଦୁର୍ବ୍ୟବହାରକୁ ଶିକ୍ଷା ପରିସର ମଧ୍ୟରେ ଦଣ୍ଡନୀୟ ଅସଦାଚରଣ ଭାବରେ ସ୍ପଷ୍ଟ ସ୍ୱୀକୃତି ମିଳିବା ଆବଶ୍ୟକ। କେବଳ ଶାରୀରିକ ଦଣ୍ଡର ଅନୁପସ୍ଥିତିକୁ ଗଣନା କରି ଶିକ୍ଷାର ଭବିଷ୍ୟତକୁ ଉଜ୍ଜ୍ୱଳ କରାଯାଇପାରିବ ନାହିଁ। ଏହାକୁ ଆବେଗିକ ସୁରକ୍ଷା, ମର୍ଯ୍ୟାଦା, ପ୍ରୋତ୍ସାହନ ଏବଂ ସମାନତାର ଉପସ୍ଥିତି ସହ ମାପ କରାଯିବା ଆବଶ୍ୟକ। ଶିକ୍ଷା କେବଳ ପିଲାମାନଙ୍କୁ ପରୀକ୍ଷା ଦେଇ ଉତୀର୍ଣ୍ଣ ହେବା ଶିଖାଇବା ପରିବର୍ତେ, ଶିକ୍ଷାଦ୍ୱାରା ଜୀବନକୁ କିପରି ମୂଲ୍ୟବାନ କରିହେବ, ତାହା ଶିଖାଇବା ଅତ୍ୟନ୍ତ ଜରୁରି ।