ରାୟଗଡା: ବିଜେପି ସରକାରରେ ଦାଦନ? ରାୟଗଡା ଜିଲ୍ଲାରୁ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ଦୁଃଖ ଦେଖିବାକୁ ମିଳିଛି। ଗୋଟିଏ ପଟେ ୧୦ରୁ ଊର୍ଦ୍ଧ୍ୱ ଲୋକ ଦାଦନ ଖଟିବାକୁ ଯାଇ ମୃତ୍ୟବରଣ କରିଥିବା ବେଳେ କିଛି ନିଖୋଜ ଘଟଣା ସାମ୍ନାକୁ ଆସିଛି। ରାୟଗଡା ବ୍ଲକ ପଦକାପାଡୁ ଗ୍ରାମର ଶାନ୍ତି ମିଣିଆକା ନିଜର ସ୍ୱାମୀ ଫକିର ମିଣିଆକା (୩୬) ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିବା ସୂଚନା ଦେବା ସହ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ଏ ସଂପର୍କରେ ଏକ ଅଭିଯୋଗ ପତ୍ର ରାୟଗଡା ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୩ ତାରିଖ ଦିନ ରାୟଗଡା ବ୍ଲକ କୁମ୍ବିକୋଟା ପଂଚାୟତର ଟିଟିଝୋଲା ନିବାସୀ ମଇଁଷି କାଣି ନାମକ ମଧ୍ୟସ୍ଥି ବାଙ୍ଗାଲୋରରେ କାର୍ଯ୍ୟ କରିବ ବୋଲି ଫକିରଙ୍କୁ ନେଇ ରାୟଗଡା ଷ୍ଟେସନରେ ଦଲାଲଙ୍କ ହାତରେ ଟେକି ଦେଇଥିଲା। ତାଙ୍କୁ ଖାଇବା ପିଇବା ସହ ମାସକୁ ୧୨ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ୨୧/୧୨/୨୫ ତାରିଖ ଦିନ ଉକ୍ତ ଦଲାଲ ଫୋନ ଯୋଗେ ପରିବାରକୁ ଫକିର କାମରେ ଯୋଗ ଦେଇନାହିଁ ବୋଲି ଜଣାଇଥିଲା। ଫକିରକୁ କାମକୁ ନେଇଥିବା ଲୋକର ଫୋନ ନମ୍ବର ୭୯୭୮୨୪୮୫୨୫ ବୋଲି ସ୍ତ୍ରୀ ଶାନ୍ତୀ ଲିଖିତ ଭାବରେ ଜଣାଇଛନ୍ତି। କିନ୍ତୁ ଫକିରକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିପାରୁନାହିଁ ବୋଲି ଶାନ୍ତୀ କହିଛନ୍ତି।
ଅନ୍ୟପଟେ ଫକିରକୁ କାମ ଦେବି ବୋଲି କହି ନେଇଥିବା ବ୍ୟକ୍ତି ଦେଉଥିବା ତଥ୍ୟରେ କୌଣସି ତାଳମେଳ ରହୁ ନଥିବା ଏବଂ ମିଥ୍ୟା ତଥ୍ୟ ଦେଉଥିବାରୁ ଫକିର ମୃତ କି ଜୀବିତ ସେ ନେଇ ସଂଦେହ ଉପୁଜୁଥିବା ଅଭିଯୋଗ କରିଛନ୍ତି ଫକିରଙ୍କ ପତ୍ନୀ ଶାନ୍ତି। ସେମାନଙ୍କ ୨ଟି ଛୋଟ ପିଲା ଏବଂ ଫକିର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ପ୍ରଶାସନ ଏବଂ ପୁଲିସକୁ ଆକୁଳ ନିବେଦନ କରିଛନ୍ତି। ରିବାର ରାୟଗଡା ଥାନାରେ ଗତ ଡିସେମ୍ବର ୨୭ ତାରିଖ ଦିନ ନିଖୋଜ ହେବା ନେଇ ଲିଖିତ ଅଭିଯୋଗ ହୋଇଥିଲା କିନ୍ତୁ ରାୟଗଡା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ପରିବାର ପକ୍ଷରୁ କୁହାଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ ଫକିରକୁ କାର୍ଯ୍ୟକୁ ନେଇଥିବା ଗଂଜାମ ଅଂଚଳର ସଂଜୟ ସ୍ୱାଇଁଙ୍କୁ ଯୋଗାଯୋଗ କରି ବେଙ୍ଗାଲୁରୁରେ ଏଫଆଇଆର କରିବାକୁ କହିବା ସହ ଫକିରଙ୍କ ସଂପର୍କରେ ତଥ୍ୟ ଦେବା ପାଇଁ ତାଗିଦ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ତ୍ରିପାଠୀ ନିଖୋଜ ଫକିରଙ୍କୁ ଖୋଜିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି କହିଛନ୍ତି।