ଧାନ ରେଜିଷ୍ଟ୍ରେସନ୍‌ ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ଓ ସାରର କଳାବଜାରକୁ ତୁରନ୍ତ ବନ୍ଦ କରାଯାଉ :ପ୍ରଦୀପ ପୁରୋହିତ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଖରିଫ ଋତୁରେ ଧାନ ବିକ୍ରୀ ପାଇଁ ଚଳିତ ମାସ ୧୫ ତାରିଖରୁ ଚାଷୀମାନେ ନାମ ପଞ୍ଜୀକୃତ କରିବାର କାର୍ଯ୍ୟ ରାଜ୍ୟର ସେବା ସମବାୟ ସୋସାଇଟି ମାନଙ୍କ ଜରିଆରେ ଆରମ୍ଭ ହୋଇଛି । ସେବା ସମବାୟ ସୋସାଇଟି ଗୁଡିକରେ ଏବେ ଚାଷୀଙ୍କୁ ଋଣ ପ୍ରଦାନ, ଫସଲ ବୀମା ପ୍ରିମିୟମ ଟଙ୍କା ଜମା ଆଦି କାର୍ଯ୍ୟ ମଧ୍ୟ ଚାଲିଛି । ଅଧିକାଂଶ ସୋସାଇଟିରେ କର୍ମଚାରୀଙ୍କ ଘୋର ଅଭାବ ଅଛି । ଗୋଟିଏ ମାସ ଭିତରେ ଯେତେ ଚାଷୀ ଧାନବିକ୍ରୀ ପାଇଁ ପଂଜୀକୃତ କରିବା ପାଇଁ ଚାହିଁବେ ସମସ୍ତ ଚାଷୀ ପଂଜୀକୃତ କରିପାରିବା ଭଳି ସମ୍ଭାବନା ଦେଖାଯାଉନାହିଁ । ତେଣୁ ଧାନ ବିକ୍ରୀ ପାଇଁ ଚାଷୀଙ୍କ ପଞ୍ଜୀକୃତ ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସମବାୟ ଓ କୃଷି ବିଭାଗର ପ୍ରମୁଖ ସଚିବ ପାଖରେ ଦାବି କରିଛନ୍ତି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ।
ସେହିପରି ସାର କଳାବଜାରକୁ ନେଇ ଶ୍ରୀ ପୁରୋହିତ ଚିନ୍ତା ପ୍ରକଟ କରିଛନ୍ତି । ଚାଷ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ରାଜ୍ୟରେ ସାରର କଳାବଜାର ଆରମ୍ଭ ହୋଇଗଲାଣି । ସାରା ରାଜ୍ୟରେ ସାର କଳାବଜାର ବେପାରୀ ମାନେ ପୁଣି ଥରେ ସକ୍ରିୟ ହୋଇ ଉଠିଲେଣି । ୟୁରିଆ ସାର ସରକାରୀ ଦର ୨୬୬ଟଙ୍କା ୫୦ପଇସା ଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ଖୋଲା ବଜାରରେ କଳାବଜାରୀ ମାନେ ୪ଶହ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିଛନ୍ତି । ସେହିପରି ଡି.ଏ.ପି ସାର ୧୨ଶହ ଟଙ୍କା ସରକାରୀ ଦରରୁ ୧୬ଶହ ଟଙ୍କା, ପଟାସ ୯୭୫ଟଙ୍କାରୁ ୧୧ଶହ ଟଙ୍କାରେ କଳାବଜାରରେ ବିକ୍ରି ଚାଲିଛି । ରାଜ୍ୟରେ ଚାଲିଥିବା ସାରର କଳାବଜାରକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ ଏବଂ ରାଜ୍ୟର ସମସ୍ତ କଳାବଜାରୀ ବେପାରୀଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ରୁଜୁ କରାଯାଉ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି ।