ରୁଚି ସହଯୋଗରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୃହ ଲୋକାର୍ପଣ

କଟକ, (ଏସ୍‌ ନ୍ୟୁଜ): ନିମାପଡା ସ୍ଥିତ ଶେଉଳସାହିଠାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନୂତନ ଶ୍ରେଣୀଗୃହର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥିଭାବେ ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଏବଂ ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଯୋଗଦେଇ ନୂଆ ଗୃହକୁ ଉଦଘାଟନ କରିଥିଲେ । ଗତ ବାତ୍ୟାରେ ଭାଙ୍ଗି ଯାଇଥିବା ଏହି ବିଦ୍ୟାଳୟର ନିର୍ମାଣ ପାଇଁ ଓମ୍‌ ଅଏଲ୍‌ ଏଣ୍ଡ ଫ୍‌ଲୋର ମିଲ୍ସ ଲିମିଟେଡ୍‌ (ରୁଚିର ସି.ଏସ୍‌.ଆର.ପାଣ୍ଠି) ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମୂଖ୍ୟ ଅତିଥି ଡ. ସାହୁ ଗାଁ ଗହଳିରେ ଥିବା କନ୍ୟା ସନ୍ତାନଙ୍କ ପାଠପଢା ଦିଗରେ ସେ ଆଗ୍ରହୀ । ଅସହାୟ ଓ ମେଧାବୀ ଛାତ୍ର-ଛାତ୍ରୀଙ୍କ ଆବଶ୍ୟକତା ସହଯୋଗ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସମ୍ମାନନୀୟା ଅତିଥି ଶ୍ରୀମତୀ ସାହୁ ବିଦ୍ୟାଳୟ ପରସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ବିଦ୍ୟାଳୟର ବିବିଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ପରିଚାଳନା କମିଟି ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଅନିଲ୍‌ ବିଶ୍ୱାଳ, ସାଧାରଣ ସଂପାଦକ ବେଣୁଧର ସେନାପତି, ସହ ସଂପାଦକ ପ୍ରଶାନ୍ତ କୁମାର ସାହୁ, ଅଧ୍ୟକ୍ଷା ମିନତୀ ସେନାପତି, ସ୍ଥାନୀୟ ସରପଞ୍ଚ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ରୁଚି ପରିବାରକୁ କୃତଜ୍ଞତା ପ୍ରଦାନ କରିବା ସହ ବିଦ୍ୟାଳୟର ଖେଳ ପଡିଆ ଓ ହଷ୍ଟେଲ୍‌ ନିର୍ମାଣ ଦିଗରେ ଆବଶ୍ୟକୀୟ ସହଯୋଗର ହାତ ବଢାଇବାକୁ ନିବେଦନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ସାହୁ ଓ ଶ୍ରୀମତୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଦ୍ୟାଳୟର କୁନି କୁନି ପିଲାଙ୍କ ଦ୍ୱାରା ନିର୍ମିତ ବିଜ୍ଞାନ ଉପକରଣ ଗୃହ ବୁଲାଇ ଦେଖା ଯାଇଥିଲା । ରୁଚି ପରିବାର ପକ୍ଷରୁ ପ୍ରେରଣା ମୂଳକ ପୁସ୍ତକ ବିଦ୍ୟାଳୟକୁ ଅର୍ପଣ କରାଯିବା ପରେ ଛାତ୍ର୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।