ପିପିଲିରେ ବାଜି ମାରିବେ ରୁଦ୍ର

ପିପିଲି ଭୋଟ ଗଣତି ଜାରି ରହିଛି । ତେବେ ଜିତିବା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆବଶ୍ୟକୀୟ ଭୋଟ ପାଇ ସାରିଛନ୍ତି । ୨୫ ତମ ରାଉଣ୍ଡ ସୁଦ୍ଧା ରୁଦ୍ରଙ୍କୁ ୯୬,୧୯୬ ଖଣ୍ଡ ଭୋଟ ମିଳିଛି । ରୁଦ୍ରଙ୍କ ନିକଟତମ ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ ୭୫,୫୮୯ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଉ ମାତ୍ର ୬୦୦୦ ଭୋଟ ଗଣାହେବା ପାଇଁ ବାକି ରହିଥିବାରୁ ରୁଦ୍ରଙ୍କ ବିଜୟ ସୁନିଶ୍ଚିତ ହୋଇଛି ।ରୁଦ୍ର ବିଜେପି ପ୍ରାର୍ଥୀଙ୍କ ଠାରୁ ୨୧ ହଜାର ଭୋଟରେ ଆଗୁଆ ଅଛନ୍ତି । ଫଳରେ ତାଙ୍କର ବିଜୟ‌ ସୁନିଶ୍ଚିତ ହୋଇସାରିଛି । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଛନ୍ତି