ସମ୍ବଲପୁର ଟାମ୍ପରକେଲାରେ ‘ଗରିବ କଲ୍ୟାଣ ସମାବେଶ’

ସମ୍ବଲପୁର ପରିଶ୍ରମୀ, ସ୍ୱାଭିମାନ ଓ ଆତ୍ମନିର୍ଭର ହେବା ପାଇଁ ଶିକ୍ଷା ଦିଏ

ଫାଶୀମାଲ/ଟାମ୍ପରକେଲା/ସମ୍ବଲପୁର: ଓଡ଼ିଶା ଏକ ବଡ଼ ସମସ୍ୟା ଦେଇ ଗତି କରୁଛି । ମନ୍ତ୍ରୀମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି, ଯାହା ସମ୍ବିଧାନ ବିରୋଧୀ ବୋଲି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀ ଜମନକିରା ବ୍ଲକ ଫାଶୀମାଲରେ ଆୟୋଜିତ ପୁରାତନ କାର୍ଯ୍ୟକର୍ତ୍ତା ବୈଠକ ଓ ରେଙ୍ଗାଲି ଟାମ୍ପରକେଲା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ, ସେମାନେ ଆଜି ଦାୟିତ୍ୱ ନେଇଛନ୍ତି । ରାଜ୍ୟରେ ସମ୍ବିଧାନ ବିରୋଧୀ ସମୂହ ଓ ଭ୍ରଷ୍ଟାଚରୀ ସମୂହଙ୍କୁ ଓଡ଼ିଶାରୁ ବାହାର କରିବା ପାଇଁ ପଡିବ ଓ ମୋଦିଙ୍କ ଶାସନ ପ୍ରଣାଳିକୁ ଆଗକୁ ନେବା ପାଇଁ ଶ୍ରୀ ପ୍ରଧାନ କରହିଛନ୍ତି ।

ସେହିପରି ସମ୍ବଲପୁର ଜିଲ୍ଲାର ହିସାବ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା ଓ ସୁଶାସନରେ ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ପାଖାପାଖି ପ୍ରାୟ ୫ ଲକ୍ଷ ଟଙ୍କାର ସମର୍ପି ଦେଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ସହ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୬୪ ହଜାର ୫୭୪ ଟି ପରିବାରକୁ ସର୍ବମୋଟ ୭ ହଜାର ୯୧୮ କୋଟି ଟଙ୍କା ଦେଇଛନ୍ତି । ଅର୍ଥାତ୍ ଜିଲ୍ଲାର ପରିବାର ପିଛା ପ୍ରାୟ ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ମୋଦି ସରକାର ଦେଇଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭ ଲକ୍ଷ ୫୭ ହଜାର ୬୦୬ ଜଣ ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୧,୬୩୬ କୋଟି ଟଙ୍କା ଦିଆହୋଇଛି । ପିଏମ ଆବାସ ସହର ଓ ଗ୍ରାମୀଣରେ ପ୍ରାୟ ୬୬ ହଜାରରୁ ଉର୍ଦ୍ଧ୍ୱ ଘର ନିର୍ମାଣ ପାଇଁ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ଜିଲ୍ଲାରେ ସ୍ୱଚ୍ଛ ଭାରତ ଯୋଜନାରେ ୧୯୮ କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ୬୫ ହଜାର ୩୫୯ ଶୌଚାଳୟ ନିର୍ମାଣ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ୧ ଲକ୍ଷ ୨୨ ହଜାର ୫୮୩ ହିତାଧିକାରୀଙ୍କୁ ୧୯.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ୮ ଲକ୍ଷ ୩୯ ହଜାର ୧୧ ଜଣଙ୍କୁ ୩୩୦୯.୪୩ କୋଟି ଟଙ୍କା ମୁଦ୍ରା ଋଣ ପ୍ରଦାନ କରାଯାଇଛି । ମନରେଗାରେ ୨.୩୬ କୋଟି ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ୬୩୯.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ୨୮୧ ଜଣଙ୍କୁ ୭୦.୧୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ୱନିଧି ଯୋଜନାରେ ୩, ୩୧୧ ଜଣ ଉଠା ଦୋକାନୀଙ୍କୁ ୪.୨୪ କୋଟି ଟଙ୍କା ସହାୟତା ଦିଆଯାଇଛି । ୧ ଲକ୍ଷ ୧୯ ହଜାର ୨୨୩ ଟି ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋଦି ସରକାର ୫୮୪.୨୨ କୋଟି ଋଣର ବ୍ୟବସ୍ଥା କରିଛନ୍ତି । ସାମାଜିକ ଭତ୍ତା ବାବଦକୁ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ଆକାରରେ ୪୯ ହଜାର ୨୩୫ ଜଣଙ୍କୁ ୪୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମ୍ବଲପୁରରେ ହିତାଧିକାରୀଙ୍କୁ ୧୮.୫୫ କୋଟି ଟଙ୍କା ମୂଲ୍ୟର ୧୪ ଲକ୍ଷ ୮୩ ହଜାର ୮୨୮ଟି ଏଲଇଡି ବଲବ ବିତରଣ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆସମ୍ବଲପୁର ଜିଲ୍ଲା ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ । ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବିଶ୍ୱ ସ୍ୱୀକାର କରିଛି । ସମ୍ବଲପୁର ସମେତ ଦେଶରେ ତାଙ୍କର ଗରିବ କଲ୍ୟାଣକାରୀ ଯୋଜନା ଗରିବ, ଚାଷୀ, ମହିଳା, ଯୁବକ ଓ ବଞ୍ଚିତ ବର୍ଗର ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିଛି । ମୋଦିଜୀଙ୍କ ଗରିବ କଲ୍ୟାଣରେ ଦେଶ, ରାଜ୍ୟ ଓ ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା ଓ ସ୍ୱାଭିମାନର କଥା ଅଛି । ସେହି କଥାକୁ ସମ୍ବଲପୁରର ଘରେ ଘରେ ପହଞ୍ଚାଇବା ଆମ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ କଳା, ସଂସ୍କୃତି, ପରମ୍ପରା ଓ ସଙ୍ଗୀତକୁ ସମୃଦ୍ଧ କରିଥିବା ଭୂମି ହେଉଛି ସମ୍ବଲପୁର । ଏହି ଅଞ୍ଚଳ ପରିଶ୍ରମୀ, ସ୍ୱାଭିମାନ ଓ ଆତ୍ମନିର୍ଭର ହେବା ପାଇଁ ଶିକ୍ଷା ଦିଏ । ଏହି ମାଟିର ସୁଯୋଗ୍ୟ ସନ୍ତାନ ମାନଙ୍କୁ ମୋଦି ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରି ସମ୍ବଲପୁରର କଳା ଓ ଅନ୍ୟ ପ୍ରତିଭାକୁ ଯଥୋଚିତ ସମ୍ମାନ ଦେଇଛନ୍ତି । ପ୍ରସିଦ୍ଧ ଲୋକଗୀତ ‘ରଙ୍ଗବତୀ’ ସହ ଜଡ଼ିତ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଗାୟକ ଜିତେନ୍ଦ୍ର ହରିପାଲ, ଗାୟିକା କ୍ରୀଷ୍ଣା ପଟେଲଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ।ସମ୍ବଲପୁର ଜିଲ୍ଲାରେ ଓଡ଼ିଶାର ପିଲା ମାନଙ୍କୁ ଉନ୍ନତମାନର ମ୍ୟାନେଜମେଣ୍ଟର ଶିକ୍ଷା ଦେବା ପାଇଁ ଆଇଆଇଏମ ସମ୍ବଲପୁର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ସ୍ଥାପନା ମୋଦି ସରକାରରେ ହୋଇଛି । ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଏହାର ନୂତନ ସ୍ଥାୟୀ ଭବନର ଲୋକାର୍ପଣ ହେବ । ଏହା ହିଁ ଜନସେବାର ନିଚ୍ଛକ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।