ଭାରତର ବିଳମ୍ବିତ ବିଚାର ବ୍ୟବସ୍ଥା ୫୨ ଟଙ୍କାର ତମାଖୁ ଚୋରି; ୨୦ ବର୍ଷ ବିଚାର ପ୍ରକ୍ରିୟା

୫୨ ଟଙ୍କାର ତମାଖୁ ଚୋରି ଅଭିଯୋଗ। ୨୦ ବର୍ଷର …

ସମ୍ବଲପୁର: ୫୨ ଟଙ୍କାର ତମାଖୁ ଚୋରି ଅଭିଯୋଗ। ୨୦ ବର୍ଷର ଆଇନଗତ ଲଢେ଼ଇ। ଶେଷରେ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ତିନି ଅଭିଯୁକ୍ତ। ବିଳମ୍ବିତ ନ୍ୟାୟ ବ୍ୟବସ୍ଥାର ଏଭଳି ବିଚିତ୍ର ଚିତ୍ର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ। ନ୍ୟାୟ ପାଇବା ବେଳକୁ ଆଖି ବୁଜି ସାରିଛନ୍ତି ଦୁଇ ଅଭିଯୁକ୍ତ। ଅଭିଯୋଗକାରୀ ମଧ୍ୟ ପରଲୋକରେ। ଘଟଣାଟି ୨୦୦୬ ମସିହା ସେପ୍‌ଟେମ୍ବର ୨୯ ତାରିଖର।
ସମ୍ୱଲପୁର ଜିଲ୍ଲା ବାମରା (ପଣ୍ଡରିପଥର) ଷ୍ଟେସନ ବସ୍ତିରେ ପ୍ରଫୁଲ୍ଲ ସାହୁଙ୍କ ପାନ ଦୋକାନରୁ ୫୨ ଟଙ୍କାର ଗୁଟ୍‌ଖା ପ୍ୟାକେଟ ଏବଂ ସିଗାରେଟ୍‌ ଚୋରି ହୋଇଥିଲା। ଏ ନେଇ ଗୋବିନ୍ଦପୁର ଥାନାରେ ତା’ ପରଦିନ ଅଭିଯୋଗ କରିଥିଲେ ପ୍ରଫୁଲ୍ଲ । ପୁଲିସ୍‌ ନୁନିଆମୁଣ୍ଡା ଗ୍ରାମର ଚାରି ଜଣଙ୍କୁ ଏବଂ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ କେଚୁପାଣି ଗ୍ରାମର ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ପ୍ରାୟ ମାସେ ଜେଲ୍‌ରେ ରହିବା ପରେ ସମସ୍ତେ ଜାମିନରେ ମୁକୁଳିଥିଲେ।

ସେହି ବର୍ଷ ନଭେମ୍ବର ୧୧ରେ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଥିଲା ଓ ବିଚାର ପ୍ରକ୍ରିୟା ଜାରି ରହିଥିଲା। ବର୍ଷ ବର୍ଷ ଧରି ଜାରି ରହିଥିବା ମାମଲା କ୍ରମେ ଶିଥିଳ ପଡିଗଲା। କୋର୍ଟ ନୋଟିସ୍‌ ମଧ୍ୟ କମିଗଲା। ଦୀର୍ଘ ଆଇନଗତ ପ୍ରକ୍ରିୟା ମଧ୍ୟରେ ଦୁଇ ଅଭିଯୁକ୍ତ ଏବଂ ଅଭିଯୋଗକାରୀ ପ୍ରଫୁଲ୍ଲ ସାହୁଙ୍କ ମୃତ୍ୟୁ ହୋଇଯାଇଥିଲା। ଜୀବିତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ କୋର୍ଟରେ ହାଜର ହେବା ମଧ୍ୟ ବନ୍ଦ କରି ଦେଇଥିଲେ।

କିଛିଦିନ ତଳେ ଜୀବିତ ୩ ଅଭିଯୁକ୍ତ ନୁନିଆମୁଣ୍ଡାର ଗଣେଶ ଜୟପୁରିଆ (୫୦), ଉମେଶ ବାଙ୍କରା (୪୮) ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୁକ୍ତ କେଚୁପାଣି ଗ୍ରାମର ହେମନ୍ତ ସାହୁ (୬୩)ଙ୍କ ବିରୋଧରେ କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟରୁ ୱାରେଂଟ୍‌ ଜାରି ହୋଇଥିଲା। ଏହା ସତ୍ୱେ ୩ ଅଭିଯୁକ୍ତ ହାଜର ହେଉ ନ ଥିବାରୁ ଗତ ୧୬ ତାରିଖରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ମାମଲାର ଶୁଣାଣି କରି କୋର୍ଟ ତିନି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏଥିସହ ମାମଲାର ଅନ୍ତ ଘଟାଇଛନ୍ତି। ନିର୍ଦ୍ଦୋଷରେ ଖଲାସ ହୋଇଥିବା ହେମନ୍ତ କହିଛନ୍ତି, ୨୦ ବର୍ଷର ଆଇନଗତ ଲଢେ଼ଇ ପରେ କୋର୍ଟ ଶେଷରେ ଆମକୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି ।