ଦଶହରାରେ ୬ଟି ଓଡ଼ିଆ ଚଳଚ୍ଚିତ୍ରର ମୁକ୍ତିଲାଭ

ଭୁବନେଶ୍ୱର: ଆସୁଛନ୍ତି ମା’ । ପାର୍ବଣରୁତୁ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ମହାମାରୀ କରୋନା କଟକଣା ଏବଂ ସଚେତନତା ଭିତରେ ହେବ ପୂଜା । ତା’ ସାଙ୍ଗକୁ ମଜା, ମସ୍ତି ବି ଜମିବ । ସେଥିପାଇଁ ଚଳଚଞ୍ଚଳ ଓଡ଼ିଆ ସିନେ ଦୁନିଆ । ଦୀର୍ଘ ଦୁଇ ବର୍ଷର ଗୃହବନ୍ଦୀ ପରେ ବଡ଼ ପରଦାରେ ବଡ଼ ଧମାକା ହେବାକୁ ଯାଉଛି । ପୂରା ପ୍ରସ୍ତୁତି ସହ ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୬ଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଅକ୍ଟୋବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଧାରାବାହିକ ଭାବେ ଗୋଟିଏ ପରେ ଗୋଟିଏ ନୂଆ ଚଳଚ୍ଚିତ୍ରକୁ ଦର୍ଶକ ହଲ୍‌ରେ ଦେଖିବେ । ଏହାଛଡ଼ା କିଛି ଓଡ଼ିଆ ଓଟିଟିରେ ବି ନୂଆ ନୂଆ ୱେବ୍‌ସିରିଜ୍‌, ସିନେମା, ଧାରାବାହିକ ରିଲିଜ୍‌ ହେଉଛି । ପରିବାର, ପ୍ରେମ, ପ୍ରତାରଣା, ଆକ୍ସନ୍‌, ଡ୍ରାମା ସାଙ୍ଗକୁ ରୋମାନ୍ସା, ରହସ୍ୟ ଆଉ ରୋମାଞ୍ଚର ଭରପୂର ଫାଇଦା ନେବେ ସିନେପ୍ରେମୀ । ମହାମାରୀ କରୋନା କଟକଣା କୋହଳ ପରେ ରାଜ୍ୟରେ ମଲ୍ଟିପ୍ଲେକ୍ସକୁ ମିଶାଇ ୩୪ଟି ପ୍ରେକ୍ଷାଳୟ ଖୋଲିଥିଲା ବେଳେ କେଉଁ ଓଡ଼ିଆ ଚଳଚ୍ଚିତ୍ରକୁ କେତେଦିନ ହଲ୍‌ରେ ପ୍ରଦର୍ଶନର ସୁଯୋଗ ମିଳିବ ତାହା ବଡ଼ କଥା । କାରଣ ଅନେକ ହଲ୍‌ରେ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍‌ ହେଉନଥିଲା ବେଳେ ଆଉ କିଛି ହଲ୍‌ ରିଲିଜ୍‌ କରିବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ସେହି ଭିତରେ ପୁଣି ହିନ୍ଦୀ ଓ ଅନ୍ୟ ଭାଷାଭାଷୀ ବଡ଼ ବଡ଼ ସିନେମା ଆସୁଛି । ତେଣୁ ତାକୁ ଦେଖି ଯାହା ହେବ । ରାଜ୍ୟର ଅନ୍ୟ ପ୍ରାନ୍ତ କଥା ଛାଡ଼ନ୍ତୁ, ରାଜଧାନୀ ଭୁବନେଶ୍ୱରରେ ଏବେ ବି ୨ରୁ ୩ଟି ପ୍ରେକ୍ଷାଳୟ ଖୋଲିପାରିନି । ତଥାପି ସମସ୍ତ ପ୍ରଯୋଜକଙ୍କ ଆଶା ହଲ୍‌ରେ ଚଳଚ୍ଚିତ୍ରଟି ରିଲିଜ୍‌ ହେବ । ଜୀସାର୍ଥକ ପ୍ରସ୍ତୁତ ଦୁଇଟି ସିନେମା ‘ଷଷ୍ଠ ରୁ ନଷ୍ଟ’ ଓ ‘ଦୁର୍ଗତିନାଶିନୀ-୨’ ହଲ୍‌ରେ ପଡ଼ିବାର ଗୋଟିଏ ଦିନ ପରେ ଟିଭିରେ ପ୍ରିମିୟର ହେବ । ବାକି ଅନ୍ୟ ସମସ୍ତ ସିନେମା ହଲ୍‌ରେ ଚାଲିବ ।