ନବୀନଙ୍କ ନିରବତାକୁ ପରୀକ୍ଷା କରୁଛନ୍ତି ସୌମ୍ୟରଂଜନ

ଛବିରାଣୀ ହତ୍ୟାକାଣ୍ଡ ଘଟଣାର ଖଳନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନକୁ ଉଚ୍ଚ ପ୍ରଶଂସା କରିଛନ୍ତି ଦଳଡିଆଁ ନେତା ସୌମ୍ୟରଂଜନ ପଟ୍ଟନାୟକ । ମମିତା ମେହେର, ବବିତା ହତ୍ୟାକାଣ୍ଡ, ପରୀ ମୃତ୍ୟୁ ମାମଲା, ନବଦାସଙ୍କ ହତ୍ୟା ଭଳି ସଙ୍ଗୀନ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ନବୀନ ପଟ୍ଟନାୟକଙ୍କ ସରକାରକୁ ଖୋଲାଖୋଲି ନାପସନ୍ଦ କରିଛନ୍ତି ଦଳୀୟ ନେତା ସୌମ୍ୟରଂଜନ । ପୂର୍ବରୁ କେତୋଟି ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାସନ କାର୍ଯ୍ୟକୁ ବିଭିନ୍ନ ମଂଚରେ ପ୍ରତିବାଦ କରି ସୌମ୍ୟରଂଜନଙ୍କର ସାହସ ବଢ଼ିଯାଇଛି ।

ଦଳର କିଛି ନେତା ପ୍ରତିକ୍ରିୟାରେ କହିଛନ୍ତି, ନବୀନବାବୁ ଚୁପଚାପ ରହିବାର ମତଲବ ଖୋଦ ସୌମ୍ୟରଂଜନ ଜାଣିନାହାନ୍ତି । ନବୀନବାବୁଙ୍କ ବଳରେ ଖଣ୍ଡପଡ଼ା ବିଧାୟକ ହୋଇ ସୌମ୍ୟରଂଜନ ଏବେ ତାଙ୍କୁ ଚୋଟ ମାରୁଛନ୍ତି । ଏନସିପିରୁ କଂଗ୍ରେସ, କଂଗ୍ରେସରୁ ବିଜେଡି, ଏମିତି ଦଳଡ଼ିଅାଁ ନେତାଙ୍କୁ ମୁଣ୍ଡରେ ବସାଇ ଆମ ନେତା ଏବେ ପସ୍ତାଉଛନ୍ତି ।

‘ପଶୁରାଜ ସିଂହ ବିଶ୍ରାମ କରୁଥିବା ବେଳେ ଚୁଟିଆ ମୂଷାଟିଏ ତାଙ୍କ ଆଗରେ ଡେଉଁଥିଲା । ତାକୁ ଦେଖି ଗଧ ଭାବିଲା, ‘ଏତେବଡ଼ ବଳଶାଳୀ ସିଂହ ଛାର ଚୁଟିଆ ମୂଷାର କିଛି ଅନିଷ୍ଟ କରୁନି । ମୋ ଜାତିଭାଇଙ୍କୁ ମାରି ପକାଉଛିି । ମୂଷା ଜାଣିଛି ସିଂହର ଗୋଟିଏ ଚାପୁଡ଼ା ତା’ର ଜୀବନ ନେଇଯିବ; ତଥାପି ଡେଉଁଛି କ’ଣ ପାଇଁ? ୟା’ର ଅର୍ଥ ବୁଝି ପାରୁଥିବା ଗଣମାଧ୍ୟମ କେଭେ ସୌମ୍ୟରଂଜନଙ୍କୁ ପ୍ରଶଂସା କରିବନି; ବରଂ ଛିଗୁଲାଇବେ ।

ସୂଚନା ମୁତାବକ, ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦାନ କରି ସୌମ୍ୟରଂଜନ କହିଥିଲେ ଯେ ଜାନକୀ ପଟ୍ଟନାୟକଙ୍କ ଅମଳରେ ପ୍ରଶାସନିକ ଅଧିକାରୀମାନେ ନିର୍ବାଚିତ ଲୋକପ୍ରତିନିଧିଙ୍କ କଥାରେ ଉଠବସ ହେଉଥିଲେ । ଏବେ ନିର୍ବାଚିତ ଲୋକପ୍ରତିନିଧିମାନେ ପ୍ରଶାସନିକ ଅଧିକାରୀଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରୁଛନ୍ତି ।

ଜାନକୀ ପଟ୍ଟନାୟକଙ୍କ ଶାସନର କୁପରିଣାମ ଏ ଯାଏ ଭୋଗୁଛି କଂଗ୍ରେସ । ଅଞ୍ଜନା ମିଶ୍ରଙ୍କ ଦୁଷ୍କର୍ମ ଘଟଣା ଓ ତକ୍ରାଳୀନ ଆଡଭୋକେଟ୍‌ ଜେନେରାଲ ଇନ୍ଦ୍ରଜିତ ରାୟଙ୍କୁ ଆଶ୍ରୟ ଦେଇଥିବାରୁ ଜାନକୀ ପଟ୍ଟନାୟକଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା । ଶଶୁରଙ୍କ ଅପକର୍ମ ବଳରେ ସୌମ୍ୟରଂଜନଙ୍କ କଳାସାମ୍ରାଜ୍ୟ ବୃଦ୍ଧି ପାଇଛି । ଏ କଥା ଯେତେ ଲୁଚାଇଲେ ମଧ୍ୟ ରାଜ୍ୟବାସୀଙ୍କୁ ଜଳଜଳ ଦିଶୁଛି ।