‘ନୂଆଦିଲ୍ଲୀ ଭାସୁଛି, ଭୁବନେଶ୍ୱର ଭାସିଲା ତ କ’ଣ ହେଲା’

ଭୁବନେଶ୍ୱର: ‘ରାଜଧାନୀ ଭୁବନେଶ୍ୱରର ମୁଖ୍ୟରାସ୍ତାଗୁଡ଼ିକରେ ବର୍ଷାପାଣି ଲହଡ଼ି ମାରିଲେ, ଆମେ କ’ଣ କରିପାରିବୁ? ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷାଜଳରେ ବନ୍ଦୀ ହୋଇ ଘରୁ ବାହାରି ପାରୁନାହାନ୍ତି । ନୂଆଦିଲ୍ଲୀରେ ସଂସଦ, ରାଷ୍ଟ୍ରପତି ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ବର୍ଷାଜଳରେ ଉବୁଟୁବୁ ହେଉଛି । ମୋଦି ସରକାର କି କେଜ୍ରିୱାଲ ସରକାର କିଛି କରି ପାରୁନାହାନ୍ତି, ଆମେ କ’ଣ କରିପାରିବୁ? ମୁଁ ମେୟର ହେବା ପୂର୍ବରୁ ବର୍ଷାପାଣିରେ ଭୁବନେଶ୍ୱର ଭାସୁଥିଲା; ଏବେ ଭାସିଲା ତ କ’ଣ ହୋଇଗଲା ସେଇଠୁ?’
ଆଉ କେହି ନୁହନ୍ତି, ଖୋଦ ବିଏମସି ମେୟର ସୁଲୋଚନା ଦାସ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି । ଶନିବାର ସକାଳୁ ବର୍ଷା ଆରମ୍ଭ ହୋଇ ଦିନସାରା ଲାଗିରହିଛି । ମଝିରେ ମଝିରେ ବର୍ଷା ଟିକେ ବନ୍ଦ ହୋଇଯାଉଛି, ମାତ୍ର ତାହା ମାତ୍ର କେଇ ମିନିଟ୍‌ ପାଇଁ ।

ଗୋଟିଏ ଦିନର ବର୍ଷାରେ ରାଜଧାନୀର ଜୟଦେବ ବିହାର ଛକଠାରୁ ଆରମ୍ଭ କରି ନନ୍ଦନକାନନ ପର୍ଯ୍ୟନ୍ତ, ସିଆରପି ଛକରୁ ଜୟଦେବ ବିହାର, ବାଣୀବିହାରରୁ ପଳାଶୁଣୀ ଛକ ମୁଖ୍ୟ ରାସ୍ତା ଉପରେ କୋଉଠି ଆଣ୍ଠୁଏ ପାଣି ତ କୋଉଠି ଚକାଏ ପାଣି । ଖାଲି ସେତିକି ନୁହେଁ ଅନେକ ସ୍ଥାନରେ ଫ୍ଲାଇ ଓଭର ଉପରେ ମଧ୍ୟ ପାଣି ଜମିରହିଛି । ବସ, ଟ୍ରକ ଭଳି ଭାରି ଯାନ ପ୍ରଭାବରେ ଜମି ରହିଥିବା ପାଣି ଏଡେ଼ବେଗରେ ଖେଳିଯାଉଛି ଯେ ଦୁଇଚକିଆ ବାଇକ ଚାଳକ ନିୟନ୍ତ୍ରଣ ହରାଇ ମଲିମଲି ଡାକୁଛନ୍ତି ।

ଅବଶ୍ୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ଏଭଳି ପ୍ରତିଫଳନ ସ୍ୱାଭାବିକ । ଯୋଜନାବଦ୍ଧ ଭାବେ ରାସ୍ତାଘାଟ ସଂପ୍ରସାରଣ ଓ ଜଳ ନିଷ୍କାସନ ପ୍ରକ୍ରିୟା ସଂପାଦିତ ହୋଇଥିଲେ; ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳି ନଥାନ୍ତା । ନିର୍ବାଚନରେ ଜିତିବା ପରେ ମେୟର ସୁଲୋଚନା ଦାସ ଯୋଉ ତୋଡ଼ ଦେଖାଉଥିଲେ, ବିରୋଧୀ ଦଳର ବଡ଼ବଡ଼ ନେତାମାନଙ୍କ ମୁହଁ ବନ୍ଦ ହୋଇଯାଉଥିଲା । ହେଲେ ବର୍ଷାଜଳ ସୁଲୋଚନାଙ୍କ ତୋଡ଼କୁ ଉଚିତ ଜବାବ ଦେଇଛି ।

ସବୁଠାରୁ ମଜାଦାର କଥା ହେଉଛି, ଇସ୍କନ ସାମ୍ନା ରାସ୍ତା ଉପରେ ଜମି ରହିଥିବା ପାଣିର ଗଭୀରତା ମାପିବାକୁ ଯାଇ ଜଣେ ଯୁବକ ସେଠାରେ ପହଁରିଥିଲେ । ତାଙ୍କ ପହଁରା ଦେଖି କିଛି ଦେଖଣାହାରୀ କହୁଥିଲେ, ‘ଆରେ ବାବୁ, ୟେ ନବୀନବାବୁଙ୍କ ମୋ ପୁଷ୍କରିଣୀ ଯୋଜନା ।’ ଆଉ ପୁଣି କିଏ କହୁଥିଲା, ‘କୁଆଖାଇ ନଦୀକୁ ଯିବା ଦରକାର ନାହିଁ ।’

କେବଳ ନୂଆ ରାଜଧାନୀ ନୁହେଁ, ପୁରୁଣା ଭୁବନେଶ୍ୱର ଅବସ୍ଥା ମଧ୍ୟ କହିଲେ ସରିବନି । ପ୍ରତି ଗଳିକନ୍ଦିର ରାସ୍ତା ଉପରେ ବର୍ଷାପାଣି ଜମି ରହିଛି । ରାମେଶ୍ୱର ମନ୍ଦିର ଦଧିନଉତି ଖସିପଡ଼ିଛି । କୁହାଯାଉଛି, ବଜ୍ରପାତ କାରଣରୁ ମନ୍ଦିରର ଦଧିନଉତି ଭାଙ୍ଗିଯାଇଛି ।