୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ: ବିରୋଧୀଙ୍କୁ ଟାର୍ଗେଟ୍‌

ଶାସକ ଦଳ ରାଗରେ ପାଚି ଯାଉଛି। ବିରୋଧୀଙ୍କ ପାଇଁ ନାରୀଶକ୍ତି ….

ଭୁବନେଶ୍ୱର: ଶାସକ ଦଳ ରାଗରେ ପାଚି ଯାଉଛି। ବିରୋଧୀଙ୍କ ପାଇଁ ନାରୀଶକ୍ତି ବନ୍ଦନ ବିଲ୍‌ କାଟ୍‌ ଖାଇଲା। ସରକାରୀ ଦଳ ନିନ୍ଦା ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତା ୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଅଧିବେଶନରେ ଶାସକ-ବିରୋଧୀ ମୁହାଁମୁହିଁ ହେବେ।
ସୂଚନା ଅନୁସାରେ, ସମସ୍ତ ବିଜେପି ଶାସିତ ରାଜ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ‘ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ’ ସମ୍ପର୍କରେ ଆଲୋଚନା କରିବାକୁ କେନ୍ଦ୍ରୀୟ ବିଜେପି ପକ୍ଷରୁ କୁହାଯାଇଛି। ଏହି କ୍ରମରେ ଓଡିଶା ବିଧାନସଭାରେ ଏପ୍ରିଲ ୩୦ରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।

ହେଲେ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ହେବାବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିବା ବେଳେ ସେତେବେଳେ ନ ଡାକି ଏବେ ଡାକିବାର ମତଲବ କ’ଣ ପ୍ରଶ୍ନ ପଚାରିଛନ୍ତି। ଏହି ଅଧିବେଶନରେ କେବଳ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଆଲୋଚନା ହେବ। ବିଜେପି ଶାସିତ ଛତିଶଗଡ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୟାନ ଦର୍ଶାଉଛି, ନାରୀଶକ୍ତି ବନ୍ଦନ ଅଧିନିୟମକୁ ବିରୋଧୀ ଦଳଗୁଡିକ ବିରୋଧ କରିଥିବାରୁ ସେମାନଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ସମସ୍ତ ବିଜେପି ଶାସିତ ରାଜ୍ୟରେ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଉଛି।
ଛତିଶଗଡରେ ଏପ୍ରିଲ ୩୦ ତାରିଖରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଗଣମାଧ୍ୟମକୁ କହିଛନ୍ତି ଯେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଆଲୋଚନା କରିବା ଓ ଲୋକସଭାରେ ମହିଳା ବିଲ୍‌ କାଟ ଖାଇବା ପାଇଁ ବିରୋଧୀ ଦଳ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିବାକୁ ଏହି ଅଧିବେଶନ ଡକାଯାଇଛି।

ଏପ୍ରିଲ ୨୭ରେ ମଧ୍ୟପ୍ରଦେଶ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ବେଳେ ସେଠାକାର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ଏହାର ପରାଜୟର କାରଣ ସାଜିଥିବା ବିରୋଧୀ ଦଳଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅଧିବେଶନରେ ନିନ୍ଦା ପ୍ରସ୍ତାବ ଆଗତ କରାଯିବ। ଏହି ଅଧିବେଶନକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ଏହି ଅଧିବେଶନରେ ସରକାରୀ ଦଳକୁ ତଗଡା ଆକ୍ରମଣ କରିବାକୁ ପୂରା ସଜବାଜ ହୋଇଛନ୍ତି।

ଏ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ କୌଣସି କାରଣ ନଥାଇ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ଏଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୪୮ ଘଂଟା ଭିତରେ ବିଧାନସଭା ଡାକିବାକୁ ଦାବି କରିଥିଲେ। ଏମିତିକି ବିଲ୍‌ ଆସିବା ପୂର୍ବରୁ ବିରୋଧୀଙ୍କ ସହ ଆଲୋଚନା ନ କରି ବିଲ୍‌ ଆଣିଲେ। ବିଲ୍‌ ଆସିବା ପୂର୍ବରୁ ବିଜେପି ଏହାକୁ ନେଇ ବହୁ ପ୍ରଚାର କଲା। ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି। ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗକୁ ରାଜନୀତି କରି ସେମାନେ ଏକା କାନ୍ଦିଲା ପରି ବାହାନା କରୁଛନ୍ତି। ଆସନ୍ତା ୩୦ ତାରିଖରେ ବିରୋଧୀଙ୍କ ମତିଗତି ଜଣାପଡ଼ିବ। ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଦେଶର ସବୁ ବିରୋଧୀ ଦଳ ମହିଳା ବିରୋଧୀ ବୋଲି ବିଜେପି ଏବେ ଏକ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି। ବାସ୍ତବରେ ବିଜେପି ହିଁ ମହିଳା ବିରୋଧୀ। ଯଦି ମହିଳାଙ୍କ ହିତ ଚାହୁଁଛ ତେବେ ୨୦୨୩ ମସିହାରେ ସର୍ବସମ୍ମତିକ୍ରମେ ଯେଉଁ ବିଲ୍‌ ପାସ ହୋଇଥିଲା ତାକୁ କାହିଁକି ଲାଗୁ କରୁନ? ବିଧାନସଭାରେ ଏଭଳି ଆଲୋଚନାର ଆବଶ୍ୟକତା କ’ଣ ଅଛି?

କାଉଂଟର କରି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ବିରୋଧୀ ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ଲାଗୁ ହେବାକୁ ଥିବା ୩୩% ସଂରକ୍ଷଣକୁ ବିରୋଧ କଲେ। ବିଜେଡି ସରକାର ସମୟରେ ସେମାନେ ମହିଳାଙ୍କ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଥିଲେ, ଯାହା ସେମାନେ କରି ପାରି ନଥିଲେ ଏବେ ବିଜେପି ସରକାର ତାହା କରୁଥିବାରୁ ସେମାନେ ସହି ପାରୁନାହାନ୍ତି। ଏବେ ସାରା ଦେଶର ମହିଳାମାନେ ଇଣ୍ଡି ମେଂଟକୁ ବିରୋଧ କରୁଛନ୍ତି। ଆଗାମୀ ଦିନରେ ଏହି ଆକ୍ରୋଶ ଆହୁରି ତୀବ୍ର ହେବ।