ଟାଟା କମ୍ପାନୀ ହାତରେ ରାଜ୍ୟର ସଂପତିକୁ ଟେକିଦେବା ଉଦ୍ୟମରୁ ବିରତ ରୁହନ୍ତୁ: ପ୍ରଦୀପ ମାଝୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ସମସ୍ତ ନୀତି ନିୟମକୁ ଉଲ୍ଲଘନ କରି ସେସୁ, ସାଉଥ୍‌କୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା ଉଠାଇଛନ୍ତି । ଯାହା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଏହା ପୁଞ୍ଜିବାଦରେ ମଧ୍ୟ ଗୋଟିଏ ଏକଛତ୍ରବାଦ । ବିଦ୍ୟୁତ୍ ନିୟମ ୨୦୦୩ର ଧାରା ୨୦ ଅନୁଯାୟୀ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ବିଡର ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନୀକୁ ବିକ୍ରୀ କରିପାରିବ ନାହିଁ । ସେହିଭଳି ବିଦ୍ୟୁତ୍ ନିୟମ ଧାରା ୬୦ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ କୌଣସି ଗୋଟିଏ ଘରୋଇ ସଂସ୍ଥା ସମସ୍ତ ବିଦ୍ୟୁତ୍ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ । ତେଣୁ ଏଥିରେ ବେନିୟମ ଭାବରେ ଗଫଲତି ହୋଇଥିବାର ସ୍ପଷ୍ଟ ଅନୁମେୟ ହେଉଛି । ଏହି ବିକ୍ରୀ ସମୟରେ ପୂର୍ବରୁ କର୍ମଚାରୀମାନଙ୍କର ଥିବା ୧୦ ପ୍ରତିଶତ ଅଂଶଧନକୁ ମଧ୍ୟ ବେନିୟମ ଭାବରେ ରଦ୍ଦ କରାଯାଇଛି । ଏହି କାର୍ଯ୍ୟରେ ରାଜ୍ୟ ସରକାର ମଧ୍ୟ ଓ.ଇ.ଆର.ସି.କୁ ପ୍ରୋତ୍ସାହନ ଦେଇ ଘରୋଇ କମ୍ପାନୀମାନଙ୍କ ପାଇଁ ପଥ ପରିଷ୍କାର କରି ଦେଇଛନ୍ତି । ଏପରିକି ବର୍ତମାନ ଟାଟା କମ୍ପାନୀକୁ ଲାଇସେନ୍ସ ଦେଇ ସରକାର ଓ ଓ.ଇ.ଆର.ସି. ରାଜ୍ୟବାସୀଙ୍କ ସ୍ୱାର୍ଥକୁ  ଅଣଦେଖା କରିଛନ୍ତି । ଏହି ବେନିୟମ କାର୍ଯ୍ୟକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି ।
ଦେଶ ବର୍ତମାନ କୋଭିଡ୍ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ନିୟାମକ ଆୟୋଗ ଖୁବ୍ ତରବରିଆ ଭାବେ ଘରୋଇ କମ୍ପାନୀକୁ ଆହ୍ୱାନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ ସଂପର୍କରେ ଅନ୍ୟମାନଙ୍କ ପରାମର୍ଶକୁ ବେଖାତିର କରି ଟାଟା କମ୍ପାନୀ ପ୍ରତି ଦରଦ ଦେଖାଇବା ଉଦ୍ଦେଶ୍ୟ ପ୍ରଣୋଦିତ । ବିଭିନ୍ନ ଶିଳ୍ପସଂସ୍ଥା ଉପରେ ଥିବା ବକେୟାକୁ ଖୁବ୍‌ଶୀଘ୍ର ଆଦାୟ କରାଯାଉ ଏବଂ ରାଜ୍ୟବାସୀଙ୍କୁ ସୁହାଇଲା ଭଳି ଏକ ନୂତନ ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ସ୍ମୃତିରେଖା ପହି ଓ ଆଇନ୍‌ଜୀବୀ ଆକାଶ ଭୂୟାଁ ଉପସ୍ଥିତ ଥିଲେ ।