ହକି ତାରକା ନୀଲମଙ୍କୁ ନବୀନଙ୍କ ଟଙ୍କା ପୁଟୁଳି ଲୋଭ

ମାଟିର ପୁଅ ମାଟିର ନାଁ ରଖିବା ପାଇଁ ହାତରେ ହକି ଷ୍ଟିକ୍‌ ଧରିଛନ୍ତି

ଜିତିଲେ ଟଙ୍କା ପୁଟୁଳି ତମର!ହାରିଲେ ଦଦରା ଘର ତମର…

ରାଉରକେଲା: ‘ଜିତିଲେ ଟଙ୍କା ପୁଟୁଳି ତମର । ହାରିଲେ ଦଦରା ଘର ତମର ।’ ଏମିତି ଏକ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ଭାରତୀୟ ହକି ଦଳର ଅନ୍ୟତମ ଖେଳାଳି ନୀଲମ ସଞ୍ଜୀପ ଖେସ । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା କୋଦାବାହାଲରେ ତାଙ୍କର ଖପର ଘର ।

ସୁନ୍ଦରଗଡ଼ ପରିଚୟ ଦେବା ଅନାବଶ୍ୟକ । ଗତ କିଛିବର୍ଷ ଧରି ଭାରତୀୟ ପୁରୁଷ ଓ ମହିଳା ହକିଦଳକୁ ରୁଦ୍ଧିମନ୍ତ କରିଛି ସୁନ୍ଦରଗଡ଼ ମାଟି । ସୁନ୍ଦରଗଡ଼ ମାଟିର ପୁଅଝିଅ ଆଜି ବିଶ୍ୱସ୍ତରକୁ ଯାଇ ଓଡ଼ିଶାର ଗୌରବ ରକ୍ଷା କରିଛନ୍ତି । ସୁନ୍ଦରଗଡ଼ ମାଟିର ପୁଅ ନୀଲମ ଆଜି ଓଡ଼ିଶାର ଉଦୀୟମାନ ହକି ତାରକା । ନୀଲମଙ୍କ ପାଇଁ ଆଜି ତାଙ୍କ ଗାଁ ଧନ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରୁ ଟଙ୍କା ପୁଟୁଳି ନେବା ଆଶାରେ ନୀଲମ ହକି ଷ୍ଟିକ୍‌ ଧରିନାହାନ୍ତି । ମାତ୍ର ନୀଲମଙ୍କ ଭଳି ଗରିବ ଖେଳାଳିଙ୍କୁ ଟଙ୍କା ପୁଟୁଳି ଲୋଭ ଦେଖାଇ ନବୀନବାବୁ ନିଜେ ହକିଖେଳକୁ ଅପମାନିତ କରିଛନ୍ତି ।

ବଣମଲ୍ଲୀ ନୀଲମ ବଣରେ ଫୁଟି ମଉଳି ଯାଇଥାନ୍ତେ । କିନ୍ତୁ ତାଙ୍କ ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ଉଦ୍ୟମ କରିଥିବା ପ୍ରତ୍ୟେକ ସାଙ୍ଗସାଥୀ, ବନ୍ଧୁବାନ୍ଧବ, ଗ୍ରାମବାସୀ ଆଜି ଧନ୍ୟ । କୁଆରମୁଣ୍ଡା ତହସିଲ ଅଫିସଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ନୀଲମ ସଞ୍ଜୀପଙ୍କ ଗାଁ କାଦୋବାହାଲ । ତାଙ୍କ ଗାଁ’ଠାରୁ ୧୨ କିମି ଦୂରରେ ବୀରମିତ୍ରପୁର ସହର । ସଞ୍ଜୀପଙ୍କ ବସ୍ତିକୁ ଯିବା ପାଇଁ ମାଟିରାସ୍ତା ପଡ଼ିଛି । ଧୂଳିଧୂସରିତ ଘରେ ରହୁଛନ୍ତି ସଞ୍ଜୀପଙ୍କ ପରିବାର । ଖପରରେ ତିଆରି ଘରଟିରେ ବାପା ବିପିନ, ମା’ ଜୀରା ଓ ବଡ଼ଭାଇ ପ୍ରଦୀପ । ଦୁଇଭଉଣୀ ବିବାହ କରିଛନ୍ତି । ସଞ୍ଜୀପଙ୍କ ଉପରେ ପରିବାର ବୋଝ ପଡ଼ିନି; ତଥାପି ବାପା ଓ ଭାଇଙ୍କ କାମରେ ସାହାଯ୍ୟ କରନ୍ତି । ତା’ରି ଭିତରେ ସୁଯୋଗ ପାଇଲେ ହକି ଖେଳନ୍ତି । ଘରେ ବିଜୁଳିର କ୍ଷୀଣ ଆଲୁଅ । ଦାରିଦ୍ର୍ୟର ତାଡ଼ନା ଭିତରେ ସଞ୍ଜୀପଙ୍କୁ ପୂର୍ଣ୍ଣ ସହଯୋଗ କରିଛନ୍ତି ପରିବାର । ପୁଅର କୃତିତ୍ୱରେ ଶତମୁଖ ବିପିନ ବିଶ୍ୱପ୍ରସିଦ୍ଧ ଷ୍ଟାଡିୟମରେ ବସି ପୁଅର ଖେଳକୁ ଦେଖିବା ପାଇଁ ଆଗ୍ରହୀ । ମାତ୍ର ଟିକଟ କିଣି ହକି ଖେଳ ଦେଖିବାର ତାକତ୍‌ ନାହିଁ । ଘରକୁ ଚଳାଇବା ପାଇଁ ଟଙ୍କାର ଆବଶ୍ୟକତା ଜରୁରୀ । ହକିଖେଳ ଦେଖିଲେ ପେଟର ଭୋକ ମେଂଟିବନି ।

ଭାରତୀୟ କ୍ରିକେଟରମାନଙ୍କ ବିଳାସମୟ ଜୀବନ ଓ ହକି ଖେଳାଳିଙ୍କ ଜୀର୍ଣ୍ଣଶୀର୍ଣ୍ଣ ରହଣି ଆକାଶ-ପାତାଳ ଫରକ । ସେହି ଫରକକୁ ଅନୁଭବ କରି ଆମ କେନ୍ଦ୍ର ଓ ରାଜ୍ୟ ସରକାର ହକି ଖେଳାଳିଙ୍କ ଜୀବନଶୈଳୀ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।#HockeyWorldCup2023

ମାଟିର ପୁଅ ମାଟିର ନାଁ ରଖିବା ପାଇଁ ହାତରେ ହକି ଷ୍ଟିକ୍‌ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ଟଙ୍କା ପୁଟୁଳି ଧରି ସଞ୍ଜୀପଙ୍କଠାରୁ ଉଚ୍ଚକୋଟୀର ଖେଳ ଆଶା କରୁଛନ୍ତି । ଭାରତର ପୁରୁଷ ହକି ଦଳ ବିଶ୍ୱକପ୍‌ ବିଜୟୀ ହେଲେ, ସଞ୍ଜୀପଙ୍କ ଭାଗ୍ୟ ବଦଳିଯିବ । ଦେଖାଯାଉ ନବୀନଙ୍କ ଟଙ୍କା ପୁଟୁଳି ଦେଖିବା ପରେ ସଞ୍ଜୀପଙ୍କ ହକି ଷ୍ଟିକରୁ କେତୋଟି ଗୋଲ ବାହାରୁଛି ।

First Appera in #ShaksiNews