କହୁ କହୁ ସତ କହିଦେଲେ ସୁର

ବାଲେଶ୍ୱର(ଏସ୍ ନ୍ୟୁଜ): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ହାରିଲା କାହିଁକି? ଏନେଇ ଦଳ ମଧ୍ୟରେ ମାନସ ମନ୍ଥନ ଆରମ୍ଭ ହୋଇଛି ।ଆଉ ଏହି ସମୟରେ ହିଁ କେତେକ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ କଂଗ୍ରେସ ଉଭୟ ସିଟ୍‌ରେ ହାରିଲା ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ସତ ଓଗାଳିଛନ୍ତି ।

ସେ କହିଛନ୍ତି-“ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ବାଲେଶ୍ୱରବାସୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ସେମାନେ ଭାରି ସ୍ୱାଭିମାନୀ। କିନ୍ତୁ ସେମାନେ ପଇସା ନେଲେ ଭୋଟ୍‌ ଦେଲେ। ପଇସା ନେଲା ପରେ ସେମାନଙ୍କର କି ସ୍ୱାଭିମାନ ଆଉ ରହିଲା? ସେ ସ୍ୱାଭିମାନର କିଛି ମୂଲ୍ୟ ନାହିଁ। ଉପନିର୍ବାଚନରେ ଭୋଟର ପିଛା ବିଜେପି ୩୦୦୦ ଟଙ୍କା ଦେଇଥିବା ବେଳେ ବିଜେଡି ୫୦୦୦ ଟଙ୍କା ଦେଇଛି। ଆଉ ସେଠି ଆମର ୧୦୦ ବା ୨୦୦ କି କାମ ଦେବ। ଆମର ପଇସା ନାହିଁ କେମିତି କାମ କରିବୁ?”

ଏପରିକିକ ବାଲେଶ୍ୱରରେ ଠିକ୍‌ ଭାବେ ପ୍ରଚାର ନକରି ନେତାମାନେ ହୋଟେଲରେ ଶୋଇଲେ। ଏହାକୁ ନେଇ ଉଦ୍ବେଗ ପ୍ରକାଶ କରି ସେଠାରେ କଂଗ୍ରେସ କର୍ମୀମାନେ ଭୋଟ ଦେଇନାହାନ୍ତି। ସେମାନେ ଭୋଟ୍‌ ଦେଇଥିଲେ ଆମ ପ୍ରାର୍ଥୀ ୧୦,୦୦୦ରୁ ଅଧିକ ଭୋଟ ପାଇଥାଆନ୍ତେ। ସେମାନେ ପ୍ରଚାର କରିବାକୁ କୁଆଡ଼େ ଗଲେନାହିଁ। ଠିକ୍‌ ସେମିତି ତିର୍ତ୍ତୋଲରେ ଆମେ ଆହୁରି ଭଲ କରି ପାରିଥାଆନ୍ତୁ। କିନ୍ତୁ କିଛି କର୍ମୀ କାମ ଠିକରେ କଲେନି। ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବାକୁ ଚାହୁଁଥିବାରୁ କାମ ଠିକ ଭାବେ କଲେନି।”

ଖାଲି ସେତିକି ନୁହେ ନିଜ ଦଳକୁ ସମାଲୋଚନା କରିବାକୁ ଯାଇ ସୁର ବିଜେଡିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି-“ଯିଏ ଯାହା କହୁ ପଛେ ନବୀନ ପଟ୍ଟନାୟକଙ୍କୁ ମାନିବାକୁ ପଡ଼ିବ। ସେ ତାଙ୍କ ଟିମ୍‌କୁ ଠିକ୍‌ ଭାବେ ପରିଚାଳନା କରୁଛନ୍ତି। ଯେଉଁ ପଇସା ମାରିକି ରଖିଥିଲେ , ତାକୁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦେଉଛନ୍ତି। ସେମାନେ ସେହି ଟଙ୍କା ନେଇ ନିର୍ବାଚନରେ ଖର୍ଚ୍ଚ କରୁଛନ୍ତି। ସେମାନେ ମାସେ କାଳ ଟଙ୍କା ବାଣ୍ଟି ଜିତାଇ ଫେରିଲେ।”କିନ୍ତୁ ଆମ ନେତାଙ୍କର ଗୋଦାତନ ନୀତି ଯୋଗୁ ଆମେ ଆଜି ବହୁତ ପଛରେ ପଡିଯାଇଛି ।