୨୦୨୦-୨୧ ବର୍ଷ ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ : ପଂଚାନନ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଚଳିତ ବର୍ଷର ବଜେଟ୍ ପୂରାପୂରି ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ । ଆୟ ଦୃଷ୍ଟିରୁ ଦେଖିଲେ ଚଳିତବର୍ଷ ପାଇଁ ରାଜ୍ୟର ରାଜସ୍ୱ ଆୟ ୩୭ ହଜାର କୋଟି, ଅଣ ରାଜସ୍ୱ ଆୟ ୨୦ ହଜାର କୋଟି ଟଙ୍କାର ଆକଳନ କରାଯାଇଛି । ଋଣ ବାବଦରେ ୪୩ ହଜାର କୋଟି ଟଙ୍କା ଆଣିଲେ ହିଁ ରାଜସ୍ୱ ବଳକା ହେବ ।
ଅନ୍ୟପକ୍ଷରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଏହି ୧ଲକ୍ଷ କୋଟି ଟଙ୍କା ବାଦ୍ ଦେଲେ କେନ୍ଦ୍ରଠାରୁ ରାଜ୍ୟ ବଜେଟ୍ ୭୦ ହଜାର କୋଟି ଟଙ୍କାର ଭରସା ରଖିଛି । ଋଣ ଓ କେନ୍ଦ୍ରୀୟ ଅନୁଦାନ ମିଳିଲେ ହିଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ଆୟବରାଦ ସଫଳ ହେବ । ଏଥିରେ ସମସ୍ତେ ଆଶା କରିଥିଲେ ପ୍ରାଥମିକ ସ୍ୱାସ୍ଥ୍ୟକୁ ସଶକ୍ତ କରିବା ଅର୍ଥାତ ଆବଶ୍ୟକ ବ୍ୟବସ୍ଥା ପୁରଣ ପାଇଁ ଅର୍ଥ ମଞ୍ଜୁର କରାଯିବ, ତା’ ହୋଇ ନାହିଁ ।
ଉଜୁଡି ଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ବ୍ୟୟ ବରାଦ କରାଯିବ ତା ହୋଇ ନାହିଁ, ମହାନଦୀର ବୋହି ଯାଉଥିବା ବନ୍ୟାଜଳକୁ ରୋକିବା ନିମନ୍ତେ ପୂର୍ବରୁ ଘୋଷଣା ଥିଲେ ମଧ୍ୟ ବ୍ୟୟ ବରାଦରେ ତାହା ସ୍ପଷ୍ଟ ନୁହେଁ ।
କରୋନା ମହାମାରୀ ସମୟରେ ୩୨୭୦ଟି ଅଣୁ, କ୍ଷ୍ୟୁଦ୍ର, ମଧ୍ୟମ ଶିଳ୍ପ ବନ୍ଦ ହୋଇଥିଲା ଓ ପୂର୍ବରୁ ଏହି ବର୍ଗର ବହୁ ଶିଳ୍ପ ଯଥା- ଚିନି କାରାଖାନା, ତେଲ କଳ, ଲୁଗା ଓ ସୂତାକଳର ପୁନଃଉଦ୍ଧାର ବ୍ୟବସ୍ଥା ପାଇଁ କୌଣସି ସୂଚନା ନାହିଁ ।
ଏଣୁ ନିଯୁକ୍ତି କ୍ଷେତ୍ର ପୂର୍ବ ବର୍ଷଠାରୁ ଆହୁରି ସଂକୁଚିତ ହେବ ବୋଲି କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ନିଜ ପିଠି ନିଜେ ଯେତେ ଥାପୁଡ଼େଇ ବାହା ବାହା ନେବାରେ ଚେଷ୍ଟାକଲେ ମଧ୍ୟ ଓଡ଼ିଶାର ଆର୍ଥିକ ଦୁର୍ଗତି ଦିଗରେ ଆଉ ଗୋଟିଏ ପାହାଚ ନବୀନ ବାବୁଙ୍କ ସରକାର ଆରୋହଣ କଲେ ।