ଓଡିଶା ସମେତ ୫ ରାଜ୍ୟକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭୟ ମଧ୍ୟରେ ଦେଶରେ ୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ବଢିଛି । ଏହି ୫ ରାଜ୍ୟ ମଧ୍ୟରେ ଓଡିଶା, କର୍ଣ୍ଣାଟକ, କେରଳ, ତାମିଲନାଡୁ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ସରକାର ଉପରୋକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ଏହି ଚିଠିରେ କୁହାଯାଇଛି ଯେ, ଉକ୍ତ ରାଜ୍ୟମାନଙ୍କରେ ୧୩ଟି ଜିଲ୍ଲାରେ ଗତ ଗୋଟିଏ ମାସ ଧରି ସଂକ୍ରମଣ ବଢିଛି । ଏହି ରାଜ୍ୟମାନେ ଦେଶରେ ୫୫.୮୭ ପ୍ରତିଶତ ନୂଆ ମାମଲା ପାଇଁ ଦାୟୀ । କର୍ଣ୍ଣାଟକରେ ଦେଶର ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

ବେଙ୍ଗାଲୁରୁ ସହରାଞ୍ଚଳରେ ସାପ୍ତାହିକ କରୋନା ମୃତ୍ୟୁ ବଢିଛି । ସେହିପରି ନଭେମ୍ବର ୨୬ରେ ଶେଷ ହେଉଥିବା ସପ୍ତାହରେ ଓଡିଶାରେ ଟେଷ୍ଟିଂ ୪,୦୧,୧୬୪ ଥିଲା କିନ୍ତୁ ଡିସେମ୍ବର ୩ରେ ଶେଷ ହୋଇଥିବା ସପ୍ତାହରେ ଟେଷ୍ଟିଂ ୩,୮୮,୭୮୮ ରହିଛି । ଗତ ୧୪ ଦିନ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ସଂକ୍ରମଣ ବଢିଛି । ସେହିପରି ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସଂକ୍ରମଣ ମାମଲାରେ ୭୩୬ ପ୍ରତିଶତ ବୃଦ୍ଧି ହୋଇଛି । କେରଳରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବ?ିଛି । କେରଳରେ ସାପ୍ତାହିକ କରୋନା ମୃତ୍ୟୁ ଚଳିତ ସପ୍ତାହରେ ବଢିଛି । ନଭେମ୍ବର ୨୬ରେ ଶେଷ ହେଉଥିବା ସପ୍ତାହରେ କେରଳର କରୋନା ମୃତ୍ୟୁ ୧୮୯୦ ଥିଲା କିନ୍ତୁ ଡିସେମ୍ବର ୩ରେ ଶେଷ ହେଉଥିବା ସପ୍ତାହରେ କେରଳ କରୋନା ମୃତ୍ୟୁ ୨,୧୧୮କୁ ବୃଦ୍ଧି ପାଇଛି । ସେହିପରି ମଲପ୍ପୁରମରେ ଏହି ସମାନ ସମୟ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୦ ଥିଲା କିନ୍ତୁ ପରବର୍ତ୍ତୀ ସପ୍ତାହରେ ଏହା ୧୦୯କୁ ବୃଦ୍ଧି ପାଇଛି ।