ଆସନ୍ତା ୨୦ରେ ଏହି ୪ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେଲା ମେଘୁଆ ପାଗ ରହିଛି । ଆଉ ତିନି ଦିନ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ରହିବ । ୧୮ ଓ ୧୯ ତାରିଖ ଦୁଇଦିନ ଶୁଖିଲା ପାଗ ରହିବ । ଏହାପରେ ୨୦ ଓ ୨୧ ତାରିଖରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବାବେଳେ ଏହା ଅବପାତ ହୋଇ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି । ଏହି ଲଘୁଚାପ ସହ ସମାନ୍ତରାଳ ଭାବେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହାକି ପୂର୍ବ ଲଘୁଚାପକୁ ଦୁର୍ବଳ କରିଦେଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଏହି ଲଘୁଚାପ ପଶ୍ଚିମ ଆଡ଼କୁ ଗତି କରି ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡ଼ୁରେ ପହଞ୍ଚିବ । ୧୭ରୁ ୨୦ ବର୍ଷରେ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ ତାରିଖରେ ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।