ଦିନକରେ ସଂକ୍ରମଣ ୩୫ ହଜାର ଟପିଲା

ନୂଆଦିଲ୍ଲୀ,(ଏସ୍ ନ୍ୟୁଜ): ହୁ ହୁ ହୋଇ ବଢ଼ୁଛି କରୋନା। କରୋନା ଭୂତାଣୁ ଲେଉଟାଣିକୁ ରୋକିବା ସମ୍ଭବ ହେବା ଭଳି ଲାଗୁନାହିଁ। ସରକାର ଯେତେ ସଚେତନ କଲେ ବି ଦେଶରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ କାଲି ଦେଶରେ ୨୮ ହଜାର ୯୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଗତ ୨୪ ଘଣ୍ଟାର ସଂକ୍ରମିତଙ୍କ ସଂଖ୍ୟା ଜଣାପଡ଼ିବା ପରେ ଚିନ୍ତା ବଢ଼ିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୮୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଗତ କାଲିଠାରୁ ପ୍ରାୟ ୭ ହଜାର ଅଧିକ। ଏହା ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪ ହଜାର ୬୦୫ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ୧୭୨ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ଫଳରେ ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୨୧୬କୁ ବୃଦ୍ଧି ପାଇଛି। ଏବେ ଦେଶରେ ୨ ଲକ୍ଷ ୫୨ ହଜାର ୩୬୪ ସକ୍ରିୟ ରୋଗୀ ରହିଥିବାବେଳେ ୧ କୋଟି ୧୦ ଲକ୍ଷ ୬୩ ହଜାର ୨୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।