ପିପିଲି ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି

ପିପିଲି,(ଏସ୍ ନ୍ୟୁଜ): ଆସନ୍ତା ଏପ୍ରିଲ୍‌ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ଆସନ୍ତା ୨୩ ତାରିଖରେ ଏହାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ସିଇଓଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ପିପିଲି ନିମନ୍ତେ ୧.୧.୨୦୨୧କୁ ଯୋଗ୍ୟତା ତାରିଖ ଭାବେ ନେଇ ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇଛି । ମୋଟ୍‌ ୨,୨୯,୫୮୩ ଜଣ ଭୋଟର୍‌ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୧,୧୯,୦୨୦ ଜଣ ପୁରୁଷ ଓ ୧,୨୦,୫୬୧ ଜଣ ମହିଳା । ମୋଟ୍‌ ୩୪୮ ବୁଥ୍‌ରେ ମତାଦାତାମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ସମସ୍ତ ବୁଥ୍‌ରେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ବ୍ୟବହାର ହେବ । ଭୋଟର୍‌ମାନେ ମତଦାନ ପାଇଁ ୧୧ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ପାରିବେ ।
ନିର୍ବାଚନ କମିସନ୍‌ଙ୍କ ଉପ ନିର୍ବାଚନ ଘୋଷଣା ପର ଠାରୁ ସଂପୃକ୍ତ ଜିଲ୍ଲା ସହ ଉପ ନିର୍ବାଚନ ହେଉଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ତତ୍‌କ୍ଷଣାତ୍‌ ଆଦର୍ଶ ଆଚରଣ ବିଧି ଲାଗୁ ହେଲା । ଉପନିର୍ବାଚନ ସମୟରେ କଡ଼ାକଡ଼ି ଭାବେ କୋଭିଡ୍‌ ନିୟମାବଳୀ ପାଳନ କରାଯିବ ବୋଲି ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।