ଜାତୀୟ ପତାକା ଅବମାନନା ପାଇଁ ପ୍ରଧାନମନ୍ତ୍ରୀ ଦୋଷୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପିକୁ ଦାୟୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଜେପି…..

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଜେପିର ମେରୁଦଣ୍ଡ । ତାଙ୍କ ନିର୍ଦ୍ଦେଶକୁ ଠିକ ଭାବରେ ଲୋକଙ୍କ ନିକଟରେ ଉପସ୍ଥାପନ କରିବା ବିଜେପିର କାମ । ଆଜାଦି କା ଅମୃତ ମହୋତ୍ସବ ପାଳନ ପାଇଁ ପ୍ରତ୍ୟେକ ନାଗରିକ ସେମାନଙ୍କ ଘର ଉପରେ ଜାତୀୟ ପତାକା ଉଡ଼ାଇବାକୁ ଆହ୍ୱାନ କଲେ । ମାତ୍ର ଜାତୀୟ ପତାକା ଉଡ଼ାଇବା ପାଠ ଲୋକମାନଙ୍କୁ ପଢ଼ାଗଲା ନାହିଁ । ଅବଶ୍ୟ ରାଜ୍ୟ ବିଜେପିର ତୁଙ୍ଗନେତାମାନେ ଗାଁରୁ ସହର ପର୍ଯ୍ୟନ୍ତ ବୁଲିବୁଲି ଲୋକଙ୍କୁ ଜାତୀୟ ପତାକା ଉଡ଼ାଇବାର ନୀତି ନିୟମ ସମ୍ପର୍କରେ ଜଣାଇବା କଥା । ମାତ୍ର ସରକାରୀ ସ୍ତରରେ ଅବା ଦଳୀୟ ସ୍ତରରେ ସେପରି କିଛି କରାଗଲାନି । ଫଳରେ ମୁଷ୍ଟିମେୟ ସ୍ଥାନରେ ଜାତୀୟ ପତାକାକୁ ଉଚିତ ସମ୍ମାନ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ଜାତୀୟ ପତାକାକୁ ଅବମାନନା କରାଯାଉଥିବା ପରିଲକ୍ଷିତ ହୋଇଥିଲା ।

କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରକୁ ସର୍ବେକ୍ଷଣ କରି ଆରପିଡି ସଂସ୍ଥା କହିଛି ଯେ ୬୫ ଭାଗ ସହରବାସିନ୍ଦା ଜାତୀୟ ପତାକାକୁ ତ୍ରୁଟିପୂର୍ଣ୍ଣ ଭାବେ ଉଡ଼ାଇଥିଲେ । କୋଉଠି ଜାତୀୟ ପତାକା ରାତିତମାମ ଉଡୁଥିଲା ତ କୋଉ ଘର ବାଲକୋନୀରେ ପତାକା ଅଧା ନଇଁ ଯାଇଥିଲା । କାର ଚଢୁଥିବା ଲୋକ ପତାକା ଲଗାଇଥିଲେ ସତ; ମାତ୍ର ପତାକାଟି ରାତିତମାମ ଗାଡ଼ିରେ ଲାଗି ରହୁଥିଲା । ଗୋଟିଏ ଜାଗାରେ ଛୋଟ ପିଲାଟିଏ ଅଙ୍ଗୁଳିରେ ପତାକା ବୁଲାଇ ନାକରୁ ସିଂଘାଣି କାଢୁଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପତାକାକୁ ଅବମାନନା କରୁଥିବା ଲୋକମାନଙ୍କ ଅଜବ କୈଫିୟତ । କୋଉଠି ଲୋକମାନେ ବିଜେପି ନେତାଙ୍କୁ ଦାୟୀ କରୁଥିଲେ ତ କୋଉଠି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ।

ସେମାନଙ୍କର ଯୁକ୍ତି ଥିଲା, ପ୍ରଧାନମନ୍ତ୍ରୀ ମୋଦୀ ‘ହର ହର ଘର ତିରଙ୍ଗା’ ଆହ୍ୱାନ କରିବା ସହ ଖବର କାଗଜରେ ବିଜ୍ଞାପନ ଛପାଇ ପତାକା ଉଡ଼ାଇବାର ନୀତି ନିୟମ ସମ୍ପର୍କରେ ଲୋକଙ୍କୁ ଜଣାଇବା ଦରକାର । ଯାହା ଫଳରେ ଲୋକମାନେ ସଚେତନ ହୋଇ ପତାକା ଉଡ଼ାଇଥାନ୍ତେ । ମୋଦୀଙ୍କ ସମ୍ମାନ ରକ୍ଷା ପାଇଁ ବିଜେପି ପକ୍ଷରୁ ଜାତୀୟ ପତାକା ସଚେତନତା ଅଭିଯାନ କରିବା ଦରକାର ଥିଲା । ତେଣୁ ଯାହା କିଛି ତ୍ରୁଟି ହୋଇଛି, ସେଥିପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ଦାୟୀ । କେନ୍ଦ୍ର ସରକାରଙ୍କ ସବୁ ଆଦେଶକୁ ତତ୍‌କ୍ଷଣାତ୍‌ ପାଳନ କରିବାକୁ ରାଜ୍ୟ ସରକାର ତତ୍ପର । ଅଥଚ ପତାକା ଉଡ଼ାଇବା ସମ୍ପର୍କୀତ ସଚେତନତାର ବାରତା ଲୋକଙ୍କ ନିକଟରେ ପହଂଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚିତ ମନେକଲେନି ।