‘ଆଉ ଚାଲିବନି ନବୀନବାବୁଙ୍କ ପ୍ରହସନ’

‘ମରଣମୁହଁରେ ପକାଇ ତୁଚ୍ଛା ସମୀକ୍ଷା’…

ଭୁବନେଶ୍ୱର: ନିମାପଡ଼ାରେ ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାପାଣି ଗାଁରେ ପଶିଲାଣି । କଣାସ ବ୍ଲକରେ ଘାଇ ହେଲାଣି । ଭଦ୍ରକରେ ନଦୀ ବନ୍ଧ ଅତିକ୍ରମ କରି ବନ୍ୟାପାଣି ଗାଁରେ ପଶିଲାଣି । ଅଧିକତର ସ୍ଥାନରେ ଦୁର୍ବଳ ନଦୀବନ୍ଧରେ ଘାଇ କାରଣରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ବିପନ୍ନଙ୍କ ନିକଟରେ ପହଂଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟା ସ୍ଥିତି ସମୀକ୍ଷା ସମ୍ପର୍କରେ ଜଣାଇବାରୁ ନାନା ପ୍ରତିକ୍ରିୟାମାନ ଶୁଣିବାକୁ ମିଳିଛି । ‘ବନ୍ୟା ପୂର୍ବରୁ ଦୁର୍ବଳ ନଦୀବନ୍ଧ ସମ୍ପର୍କରେ ସରକାରୀ ବାବୁମାନଙ୍କୁ ବାରମ୍ବାର ଜଣାଇଛୁ । ସରକାରୀ ଅଧିକାରୀମାନେ ଆସିଲେ, ନଦୀବନ୍ଧ ସ୍ଥିତି ଦେଖିଲେ । ମାତ୍ର ନିରବ ରହିଲେ, ଏବେ ନବୀନବାବୁ କହୁଛନ୍ତି କ’ଣ ନା ପ୍ରତ୍ୟେକ ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ଆମ ଜୀବନ ସହ ଖେଳୁଛନ୍ତି ।

ଆମ ଜୀବନକୁ ବିପଦରେ ପକାଇ ନବୀନବାବୁ ମିଛଟାରେ କାନ୍ଦୁଛନ୍ତି । ତାଙ୍କ ମନରେ ଟିକେ ସହାନୁଭୂତି ଥିଲେ, ଖରାଦିନରେ ଦୁର୍ବଳ ନଦୀବନ୍ଧ କଥା ଚିନ୍ତା କରିଥାନ୍ତେ ।’
‘ଏବେ କେବଳ ଭଗବାନ ହିଁ ସାହା । ଏନ୍‌ଡିଆରଏଫ୍‌, ଉଡ୍ରାଫ, ଅଗ୍ନିଶମ ବାହିନୀର ଦକ୍ଷ କର୍ମଚାରୀମାନେ ଆମ ପାଖରେ ଅଛନ୍ତି । ହେଲେ ନାହାନ୍ତି ଆମ ଲୋକପ୍ରତିନିଧି । ସରକାରୀ ବାବୁମାନେ ସୁରକ୍ଷିତ ସ୍ଥାନରେ ରହି ଗଣମାଧ୍ୟମରେ ‘ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି’, ‘ସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଛୁ’ କହୁଛନ୍ତି । ସାହସ ଥିଲେ ଆମ ପାଖରେ ପହଂଚି ଯନ୍ତ୍ରଣା ଲାଘବ କରନ୍ତୁ ।’

କହିବା ବାହୁଲ୍ୟ, ରାଜ୍ୟ ରିଲିଫ କମିଶନରଙ୍କ ସୂଚନା ମୁତାବକ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସିଛି । ଲୋକମାନଙ୍କୁ ତିନି ଚାରିଦିନ ପାଇଁ ବନ୍ୟାପାଣି ଭିତରେ ରହିବାକୁ ପଡ଼ିବ । ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଦେବାକୁ ବ୍ୟବସ୍ଥା କରାଯାଇଛି । ତା’ ସହିତ ପୋଷାକ ଓ ଔଷଧପତ୍ର ବିତରଣ ବ୍ୟବସ୍ଥା କରାଯାଇଛି । କାହାରିକୁ ମରଣ ମୁହଁରେ ପକାଇ ସରକାର ଆରାମରେ ବସିବେ ନାହିଁ ।