ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ୧୬୯୦ କୋଟିର କୋଭିଡ ସହାୟତା ଘୋଷଣା କରିଛନ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଘୋଷଣା କରିଛନ୍ତି କୋଭିଡ ସହାୟତା ପ୍ୟାକେଜ । ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ୱାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ୱସ୍ତି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି କୋଭିଡର ଦ୍ୱିତୀୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି । ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି । ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ୟାକେଜ ଅନୁଯାୟୀ କାଳିଆ ଯୋଜନାର ହିତାଧିକାରୀ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ୧୦୦୦ ଟଙ୍କା ସ୍ୱତନ୍ତ୍ର ସହାୟତା ଦିଆଯିବ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସେହିପରି କୋଭିଡ ଲକଡାଉନ ସମୟରେ ସହରାଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଦେବ।। ଲାଗି ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବରେ ଦିଆଯିବ । ଅପ୍ରେଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ । ସୂଚନାଯୋଗ୍ୟ ଯେ ଏହି ସମୟ ମଧ୍ୟରେ ମନରେଗା ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୫ କେଜି ଲେଖାଏ ଚାଉଳ ପ୍ରତି ବ୍ୟକ୍ତିଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଓଡିଶାରେ ଆମର ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି । ସେମାନଙ୍କୁ ଜୀବନଜୀବିକା ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏ ବାବଦରେ ୩୩.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ । ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କର ଅପ୍ରେଲରୁ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସେମାନଙ୍କ ଛାତ୍ର ବୃତ୍ତିକୁ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇଟି ପର୍ଯ୍ୟାୟରେ ଜମା କରାଯିବ । ଏ ବାବଦରେ ୨୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ ଟଙ୍କା ଲେଖାଏ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏ ବାବଦରେ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ସ୍ୱତନ୍ତ୍ର ବିଦ୍ୟାଳୟ ମାନଙ୍କରେ ପଢୁ ନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଛାତ୍ରବୃତ୍ତି ଜାରି ରହିବ ଏବଂ ଅପ୍ରେଲରୁ ଜୁନ୍‌ ପର୍ଯ୍ୟନ୍ତ ସେମାନଙ୍କୁ ୨୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଯୋଗାଇ ଦିଆଯିବ । ଏହାଦ୍ୱାରା ୨୬, ୪୬୫ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଘରେ ରହି ଅନଲାଇନ ଜରିଆରେ ପାଠ ପଢୁଥିବା ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ୧୨୪୫ ଟଙ୍କା ଦିଆଯିବ। ଏହାଦ୍ୱାରା ୬୪୭୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ଅପ୍ରେଲରୁ ଜୁନ୍‌? ୨୧ ପର୍ଯ୍ୟନ୍ତ ଅଣ-ଆବାସିକ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ୩୪୪ ଜଣ ଅଣ-ଆବାସିକ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଲ ୨୧ରୁ ଜୁନ ୨୧ ପର୍ଯ୍ୟନ୍ତ ୩୭୦ ଟଙ୍କା ଲେଖାଏ ମାସିକ ଅନୁଦାନ ଯୋଗାଇ ଦିଆଯିବ । ଏଥିପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।