ରାଜ୍ୟ ସରକାର ଓବିସି ବିରୋଧୀ-ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌): ଓଡିଶାରେ ପଛୁଆ ବର୍ଗ ଅବହେଳିତ । ଓବିସିମାନଙ୍କୁ କେବଳ ୧୧.୨୫% ସଂରକ୍ଷଣ କଥା କହି ବାସ୍ତବ କ୍ଷେତ୍ରରେ ମାତ୍ର ୨ରୁ ୩ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି ରାଜ୍ୟ ସରକାର । ସ୍କୁଲ କଲେଜରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବଂଚିତ ରଖାଯାଉଛି ।ପଛୁଆ ବର୍ଗଙ୍କୁ ଗଣତନ୍ତ୍ରରେ ଉଚିତ୍‌ ସମ୍ମାନ ଦିଆଯାଉନାହିଁ । ଓଡିଶା ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ପ୍ରତି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେସଂପୂର୍ଣ୍ଣ ଅନ୍ୟାୟ କରାଯାଇଛି ।ମଣ୍ଡଳ କମିଶନ ସୁପାରିସ ଆଧାରରେ ୨୭% ସଂରକ୍ଷଣ ଦେଉନାହାଁନ୍ତି ଓଡିଶା ସରକାର । ବିଜେପି ଏଥିପାଇଁ ଆଗକୁ ଆନ୍ଦୋଳନ କରିବ ଏବଂ ପଛୁଆବର୍ଗର ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖିବ ବୋଲି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କେ.ଲକ୍ଷ୍ମଣ କହିଛନ୍ତି ।

ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଶ୍ରୀ ଲକ୍ଷ୍ମଣ କହିଛନ୍ତି ଯେ, ଦେଶର ପଛୁଆ ବର୍ଗଙ୍କ ବିକାଶ ପାଇଁ ମୋଦି ସରକାର ବହୁ ଐତିହାସିକ ନିଷ୍ପତି ନେଇଛନ୍ତି ।ପ୍ରଥମ ଥର ପାଇଁ ସ୍ୱାଧୀନତାର ୭୫ ବର୍ଷ ପରେ କେନ୍ଦ୍ରରେ ମୋଦି ସରକାର ନିଜ ମନ୍ତ୍ରୀମଣ୍ଡଳରେ ଓବିସି ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ୨୭ ଜଣଙ୍କୁ ସ୍ଥାନିତ କରି ପଛୁଆ ବର୍ଗକୁ ସମ୍ମାନ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଜନ ଓ ଗରୀବକଲ୍ୟାଣ ଯୋଜନାର ସୁଫଳକୁ ସାଧାରଣ ଜନତାଙ୍କ ପାଖକୁ ପହଂଚାଇବା ଓବିସି ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ମୁଖ୍ୟ ଦାୟୀତ୍ୱ ବୋଲି ଶ୍ରୀ ଲକ୍ଷ୍ମଣ କହିଛନ୍ତି ।

୨୮ ବର୍ଷ ପୂର୍ବେ ଗଠନ ହୋଇଥିବା ଦନ୍ତହୀନ ରାଷ୍ଟ୍ରୀୟ ଓବିସି କମିଶନକୁ ଜୁଡିସିଆଲ ପାୱାର ପ୍ରଦାନ କରି ମୋଦି ସରକାର ପଛୁଆ ବର୍ଗକୁ ସେମାନଙ୍କ ସାମ୍ବିଧାନିକ ହକ୍‌ ପ୍ରଦାନ କରିଛନ୍ତି । ମେଡିକାଲ ଓ ଡେଂଟାଲ ଶିକ୍ଷାରେ ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସୃଷ୍ଟି କରିବା ସହିତ ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲରେ ଶିକ୍ଷାଦାନ କ୍ଷେତ୍ରରେ ପ୍ରଥମ ଥର ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବହୁ ଦିନ ଧରି ଖାଲି ପଡି ରହିଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ୯ ହଜାରରୁ ଉଦ୍ଧ୍ୱର୍ ଅଧ୍ୟାପକ ପଦବୀ ପୁରଣ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ମୁଳମନ୍ତ୍ର କରି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଦେଶକୁ ବିକାଶ ପଥରେ ଆଗେଇ ନେଉଛନ୍ତି । ସେହିପରି ଓଡିଶାରେ ମଧ୍ୟ ସ୍ଥାଣୁ ପାଲଟିଥିବା ଓ ବହୁସଂଖ୍ୟକ ବର୍ଗଙ୍କୁ ଉପେକ୍ଷା କରୁଥିବା ଶାସକ ବିଜେଡିକୁ କ୍ଷମତାରୁ ଅପସାରଣ କରି ବିକାଶ ଧାରାରେ ଓଡିଶାକୁ ସାମିଲ କରିବା ପାଇଁ ଶ୍ରୀ ଲକ୍ଷ୍ମଣ ଆହ୍ୱାନ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଓବିସି ମୋର୍ଚ୍ଚା ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କେ.ଲକ୍ଷ୍ମଣ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଦୁଷ୍ମନ୍ତ ଦାଶ, ପୁଷା ରାଜୁ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନରେ ମୋର୍ଚ୍ଚାର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଓବିସି ବର୍ଗ ଯୁବକ ଯୁବତୀମାନଙ୍କୁ ଆତ୍ମ ନିର୍ଭର ଓ ସ୍ୱୟଂସଂପର୍ଣ୍ଣ କରିବା ପାଇଁ ଓବିସି ଡେଭଲପ୍‌ମେଂଟ୍‌ ଫାଇନାନ୍ସ କର୍ପୋରେସନ୍‌ ମାଧ୍ୟମରେ ଋଣ ଯୋଗାଣ, ସ୍କିଲ୍‌ ଟ୍ରେନିଂ ଓ କର୍ମନିଯୁକ୍ତିର ବ୍ୟବସ୍ଥା କରାଇ ଏହି ବର୍ଗର ବିକାଶ ପାଇଁ ନିଷ୍ଠାପର ଉଦ୍ୟମ କରିଥିବାରୁ ଆଜିର କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି ।ପଛୁଆ ବର୍ଗର ଓଡିଆ ଝିଅ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଉଁଭଳି ଅମାନବୀୟ ଭାବେ ନିର୍ମମ ହତ୍ୟା କରି ପୋଡି ଓ ପୋତି ଦିଆଗଲା, ତାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ଏବଂ ସେହି ହତ୍ୟା ଷଡଯନ୍ତ୍ର ପଛରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଯେତିକି ଚିନ୍ତାଜନକ ତାଠାରୁ ଆହୁରି ଦୁର୍ଭାଗ୍ୟଜନକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ଅପରାଧି ମନ୍ତ୍ରୀଙ୍କୁ ଘଂଟ ଘୋଡାଇବା ।ରାଜ୍ୟରେ ହତ୍ୟା, ଧର୍ଷଣ, ଶିଶୁ ନିଖୋଜ ସଂଖ୍ୟା ବହୁମାତ୍ରାରେ ବଢିଚାଲୁଥିବାରୁ କାର୍ଯ୍ୟକାରିଣୀ ଗଭୀର ଉଦବେଗ ପ୍ରକାଶ କରିଛି । ପଛୁଆବର୍ଗ ଜାତି ପ୍ରମାଣ ପତ୍ର ଦେବାରେ ତହସିଲ୍‌ ଅଫିସ୍‌ମାନଙ୍କରେ ଯେପରି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି, ତାହା ପଛୁଆ ବର୍ଗମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କହିଲେ ଅତ୍ୟୁକ୍ତି ହେବନାହିଁ । କ୍ରିମିଲେୟାର ନାମରେ ମନମାନୀ କରି ଅଧିକାରୀମାନେ ଫେରାଇ ଦେଉଛନ୍ତି । ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କର ପିଲାମାନେ କାହିଁକି ସଂରକ୍ଷଣ ସୁବିଦାରୁ ବଂଚିତ ହେବେ, ଏ ପ୍ରଶ୍ନର ଉତର ରାଜ୍ୟ ସରକାର ଆଜିଯାଏଁ ସ୍ପଷ୍ଟ କରୁନଥିବାରୁ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିଛି । ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖି ଦାବୀ କରିବା ପରେ ଜାତୀୟ ଓବିସି କମିଶନଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ତରବରିଆ ଭାବେ ଯେଉଁ ଅଧ୍ୟକ୍ଷ ନିଯୁକ୍ତି କରାଗଲା, ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟିକ କ୍ଷମତା ପ୍ରଦାନ ନକରିବା ଏବଂ ସବୁ କ୍ଷମତାକୁ ରାଜ୍ୟ ସରକାର ନିଜେ ଜାବୁଡି ଧରିବା ପ୍ରମାଣ କରୁଛି ଯେ, ରାଜ୍ୟ ସରକାର ୫୪ପ୍ରତିଶତ ପଛୁଆବର୍ଗଙ୍କ ଉନ୍ନତି ଚାହୁଁ ନାହାନ୍ତି, ଯାହାକୁ ନେଇ କାର୍ଯ୍ୟକାରିଣୀ ଅସନ୍ତୋଷ ପ୍ରକାଶ କରିଛି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟର ୮ଟି ଜିଲ୍ଲାରେ ଗୋଟିଏ ବି ଜିଲ୍ଲା ପରିଷଦ ସ୍ଥାନ ଓବିସିମାନଙ୍କ ପାଇଁ ସଂରକ୍ଷିତ ନାହିଁ । ଏହା ଅତ୍ୟନ୍ତ ବେଆଇନ୍‌ ଓ ପଛୁଆବର୍ଗଙ୍କ ବିକାଶ ବିରୋଧି ମାନସିକତା ନୁହେଁ ତ ଆଉ କଣ ବୋଲି କାର୍ଯ୍ୟକାରିଣୀ ପ୍ରଶ୍ନ କରିଛି । ସବୁଠାରୁ ଅଧିକ ଜନସଂଖ୍ୟା ଥିବା ବର୍ଗଙ୍କର ବିକାଶକୁ ଯଦି ରାଜ୍ୟ ସରକାର ଜାଣି ଜାଣି ପଥରୋଧ କରିବେ ତେବେ ଏ ରାଜ୍ୟର ସାମଗ୍ରିକ ବିକାଶ ଆଶା କରିବା କିପରି? ରାଜ୍ୟ ସରକାରଙ୍କ ପଛୁଆବର୍ଗଙ୍କ ପ୍ରତି ଏହି ହୀନ ମାନସିକତା ଓ ଉପେକ୍ଷାକୁ କାର୍ଯ୍ୟକାରିଣୀ ଦୃଢ ବିରୋଧ କରିଛିି । ଅଢେଇ କୋଟି ଓବିସି ବର୍ଗଙ୍କୁ ପକ୍ଷରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହକ୍‌ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ଆଜି ରାଜ୍ୟ କାର୍ଯ୍ୟକାରିଣୀରେ ସଂକଳ୍ପ ପାରିତ ହୋଇଛି ।

ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ କୁମାର ବିଶ୍ୱାଳ ସର୍ବପ୍ରଥମେ ଅତିଥି ପରିଚୟ ପ୍ରଦାନ କରିବା ସହିତ ମମିତା ମେହେର, ଦିବଙ୍ଗତ କୋଭିଡ ଯୋଦ୍ଧା ଏବଂ କାର୍ଯ୍ୟକର୍ତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ପ୍ରତାପ ପ୍ରଧାନ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବାବେଳେ ବରିଷ୍ଟ ଉପସଭାପତି ସୁବାଷ ଜେନା ଓ ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଙ୍କର ପତି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଅନ୍ୟତମ ସାଧାରଣ ସଂପାଦକ ଇଂ.ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ମୋର୍ଚ୍ଚାର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ କାର୍ଯ୍ୟକାରିଣୀକୁ ଅବଗତ କରିଥିଲେ । ଆଜିର ଏହି ବୈଠକକୁ ରାଜ୍ୟ ପଦାଧିକାରୀ ସଂଗ୍ରାମ ନାୟକ, ସୁଶାନ୍ତ ଜେନା, ଜଗନ୍ନାଥ ସ୍ୱାଇଁ, ଉପେନ୍ଦ୍ର ଭଞ୍ଜ, ପ୍ରଶାନ୍ତ ନାଏକ, କବିତା ଲେଙ୍କା ପ୍ରମୁଖ ସହଯୋଗ କରିଥଲେ ଏବଂ ବରିଷ୍ଠ ଉପସଭାପତି ରାମଚନ୍ଦ୍ର ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।