ରାଜନୈତିକ ଦଳ ପାଇଁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ହ୍ରାସ କରିବା ଦିଗରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ରାୟ ଦେଇଛନ୍ତି । ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ସମ୍ପର୍କିତ ସମସ୍ତ ଅପରାଧୀକ ରେକର୍ଡ ଜଣାଇବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ କଡା ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଥିବ ଅଥବା କୌଣସି ମାମଲାରେ ସେ ଅଭିଯୁକ୍ତ ଥିବେ, ତା’ହେଲେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ବାବଦରେ ସମସ୍ତ ତଥ୍ୟ ଦେବେ । କ୍ଷମତାର ଅପବ୍ୟବହାର ରୋକିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ହାଇକୋର୍ଟଙ୍କ ଅନୁମତି ବିନା କୌଣସି ରାଜ୍ୟ ସରକାର ନିଜ ବିଧାୟକ ଏବଂ ସାଂସଦ ମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିପାରିବେ ନାହିଁ ।

ଏହାକୁ ନେଇ ୨୦୨୦ ଫେବ୍ରୁଆରୀ ୧୩ରେ ସୁପ୍ରିମକୋର୍ଟ ଏନେଇ ଦେଇଥିବା ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି । ୨୦୨୦ ନିଷ୍ପତ୍ତିର ପାରାଗ୍ରାଫ ୪.୪ରେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ଅଥବା ନାମାଙ୍କନ ଦାଖଲ ପୂର୍ବରୁ ଅତି କମରେ ୨ ସପ୍ତାହ ପୂର୍ବରୁ ଅପରାଧିକ ତଥ୍ୟ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।