ବାଘଛାଲ ବେପାରୀକୁ ଧରାଗଲା, ଡାକ୍ତରଖାନାରେ ଛାଡ଼ି ଦିଆଗଲା

ମୟୂରଭଞ୍ଜ ବନ ବିଭାଗ ମୁଣ୍ଡରେ ନିନ୍ଦା ଲଦି ଦିଆଯାଇଛି । କଥା କ’ଣ କି, ବନ ବିଭାଗର ଗୋଟିଏ ଟିମ ଚାରିଟି କଲରା ପତରିଆ ବାଘଛାଲ ଜବତ କରିଥିଲେ ଓ ତିନିଜଣ ଅଭିଯୁକ୍ତଙ୍କୁ ଧରିଥିଲେ । ବନ ବିଭାଗକୁ ପ୍ରଶଂସାରେ ପୋତି ଦିଆଗଲା । ମାତ୍ର ଧରିବାର ୨୪ ଘଂଟା ଭିତରେ ଜଣେ ଅଭିଯୁକ୍ତ ଖସି ଯାଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ବନ ବିଭାଗକୁ ତୀବ୍ର ସମାଲୋଚନା କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାରେ ଜାଣିଶୁଣି ଢିଲା କରାଯିବାରୁ ଜଣେ ଅଭିଯୁକ୍ତ ଖସିଗଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ନିନ୍ଦାରୁ ମୁକୁଳିବା ପାଇଁ ବନ ବିଭାଗର ଚାରୋଟି ଟିମ ଧରପଗଡ଼ ଆରମ୍ଭ କରି ବିଶୋଇ ଥାନା ରୁଗୁଡ଼ି ଗାଁରୁ ମେଘରାଇ ମୁର୍ମୁକୁ ଗିରଫ କରିଚି । ମାତ୍ର ଖସି ଯାଇଥିବା ଅଭିଯୁକ୍ତ ଧରାପଡ଼ିନି ।

ସୂଚନା ଯୋଗ୍ୟ, ବାଘଛାଲ ସହ ଧରା ପଡ଼ିଥିବା ଅଭିଯୁକ୍ତମାନେ ଥିଲେ ବୁଧୁରାମ ସିଂ, ମଙ୍ଗଳ ସିଂ ଓ ବାଙ୍ଗିରିପୋଷି ଥାନା ପଟାବେଡାର ରୁପୟ ମାରାଣ୍ଡି । କିନ୍ତୁ ରୁପାୟ ଡାକ୍ତରଖାନାରୁ ଖସିଯାଇଛି ।