ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା । ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଇସ୍ପାତ୍ ବିଭାଗ, ଜିଏସଆଇ ସମେତ ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ଆଜି ଦାୟିତ୍ୱବୋଧର ନୂଆ ଅଧ୍ୟାୟକୁ ଯାଉଛନ୍ତି । ତେବେ ଦାୟିତ୍ୱ ଏତିକିରେ ସୀମିତ ନୁହେଁ ।
ଆମ ଦେଶ ଆଉ ପ୍ରାୟ ୨୫ ବର୍ଷ ପରେ ୨୦୪୭ରେ ସ୍ୱତନ୍ତ୍ରତାର ୧୦୦ ବର୍ଷ ପୂରଣ ହେବ ଏବଂ ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି କାଳଖଣ୍ଡରେ ଆମେ ବଡ ଦାୟିତ୍ୱରେ ଥିବା ସମୟରେ କେବଳ ନିଜ କଥା ଭାବିବା ନାହିଁ ବରଂ ସମସ୍ତଙ୍କ କଥା ଚିନ୍ତା କରିବା । ସ୍ୱୟଂ ପାଇଁ ନୁହେଁ ସମୂହଙ୍କ ପାଇଁ ଚିନ୍ତା କରିବା ଦରକାର । ଅମୃତ କାଳରେ ଏହି ଯୁବବର୍ଗଙ୍କ ନେତୃତ୍ୱରେ ଦେଶ ଓ ରାଜ୍ୟ ଆଗକୁ ଯିବ । ନିରନ୍ତର ଭାବରେ ଭାରତ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ରି ସ୍କିଲିଂ- ଅପ ସ୍କିଲିଂ ବ୍ୟବସ୍ଥାରେ ଯୋଡି ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଯୁବବର୍ଗମାନେ ନିଜର ସ୍ୱପ୍ନ ସହ ସମାଜ ଓ ଜାତିର ଆକାଂକ୍ଷାକୁ ପୂରଣ କରନ୍ତୁ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ବଣମଲ୍ଲି ବଣରେ ରହିଯାଉଛି । ହଜାର ହଜାର ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ସ୍ୱଚ୍ଛ ଭାରତର କଳ୍ପନା କରିଥିଲେ । ଓଡ଼ିଶା ମାଟିର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ସାଧାରଣ ପରିବେଶରୁ ଆସି ବଡ ଭାବିବା ସହ ବିଶ୍ୱକୁ ପ୍ରଭାବିତ କରିଥିଲେ । ତେଣୁ ଆମ ସମସ୍ତଙ୍କୁ ମଧ୍ୟ ନୂଆ ଭାବିବା ପାଇଁ ପଡିବ, ବଡ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ଦରକାର ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ଜାତୀୟ ଶିକ୍ଷା ନୀତିରେ ଭାଷା ନୂଆ ସୂତ୍ରଧର ହୋଇଛି । ନୂଆ ବନ୍ଧନର ସେତୁ ତିଆରି କରୁଛି ଭାଷା । ଆଜି ଭାରତୀୟ ଭାଷାର ପ୍ରାଥମିକତା ବଢିଛି । ଭାରତକୁ ଆସୁଥିବା ଲୋକମାନେ ଭାରତୀୟ ଭାଷାକୁ ଶିଖିବାର ଆଗ୍ରହ ପ୍ରକାଶ କରୁଛନ୍ତି । କୁଳବୃଦ୍ଧ ମଧୁସୂଦନ ଦାସ ହିଁ ପ୍ରଥମେ ଭାଷା ଆଧାରିତ ପ୍ରଶାସନିକ ଢାଞ୍ଚା କରିବାର କଳ୍ପନା କରିଥିଲେ ।
ଆନନ୍ଦ ଓ ଉତ୍ସାହ ଭରା ରୋଜଗାର ମେଳାର ଉତ୍ସବରେ ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଠାରୁ ୭ଠ ହଜାରରୁ ଅଧିକ ଯୁବକ ଯୁବତୀମାନେ ବିଭିନ୍ନ ବିଭାଗରେ କାମ କରିବା ପାଇଁ ରୋଜଗାରର ସ୍ୱୀକୃତି ପତ୍ର ପାଇଛନ୍ତି । ଏହି ରାଷ୍ଟ୍ରୀୟ ନିଯୁକ୍ତି ମେଳା ଯୁବକମାନଙ୍କ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଅଟେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।