ପ୍ରାତଃଭ୍ରମଣରେ ଆସିଥିବା ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଅଭିଯୋଗ

ଭୁବନେଶ୍ୱର (ଏସ୍ ନ୍ୟୁଜ): ପୁଣି ମହିଳାଙ୍କ ଠାରୁ ଲୁଟ। ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ ଦୁର୍ବୃତ୍ତ। ଝାରପଡା ଜେଲର ସାମ୍ନା ରାସ୍ତାରେ ମହିଳାଙ୍କ ବେକରେ କଟୁରି ଲଗାଇ ଆକ୍ରମଣ କରି ଲୁଟ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମନୋରମା ସାହୁ ନାମକ ଜଣେ ମହିଳା ପ୍ରାତଃ ଭ୍ରମଣରେ ଆସିଥିଲେ। ସେ ପରେ ନିକଟସ୍ଥ ହାଟରୁ ପରିବା କିଣି ଘରକୁ ଫେରୁଥିଲେ। ମହିଳାଜଣକ ଝାରପଡ଼ା ଜେଲ୍ ପାଖ ଦେଇ ଯାଉଥିବା ବେଳେ ୩ଜଣ ଲୁଟେରା ଏକ ବାଇକରେ ଆସି ତାଙ୍କ ବେକରେ କଟୁରି ଲଗାଇ ପିନ୍ଧିଥିବା ସୁନା ଚେନ୍ ଲୁଟିଲେ। ଏହାପରେ ମହିଳାଜଣକ ତଳେ ପଡ଼ିଯାଇଥିଲେ। ମହିଳାଙ୍କ ଚିତ୍କାର ଶୁଣି କିଛି ଲୋକ ସେଠାରେ ରୁଣ୍ଡ ହୋଇଥିଲେ ଏବଂ ସେମାନେ ମହିଳାଙ୍କୁ ଉଠାଇଥିଲେ। ତାପରେ ମନୋରମା ସାହୁ ଲକ୍ଷ୍ମୀସାଗର ଥାନରେ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।