ମୂଳରୁ ମାଇପ ନାହିଁ, ପୁଅ ନାଁ ନବୀନା

ବାଃ ରେ ନବୀନ ପଟ୍ଟନାୟକ! ପୁଅ ନାହିଁ ପୁଅ ପେଟରେ । ପୁଅର ମା’ ଖଡ଼ି ଗଡ଼ଉଛି ବନମାଳିପୁର ହାଟରେ..

ମୁଖ୍ୟମନ୍ତ୍ରୀ ଚଉକିରେ ନବୀନ ପଟ୍ଟନାୟକ ବସିଥିବା ପର୍ଯ୍ୟନ୍ତ ନାନା ଚମକ୍ରାର ଶାସନ ଦେଖିବାକୁ ମିଳିବ । ଏଠି ଚାଷଜମି ନଥାଇ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳି ଯାଉଛି । ଏକାଧିକ କୋଠାମାଲିକଙ୍କୁ ବିଜୁ ପକ୍କାଘର ମିଳି ଯାଉଛି । ସେହି କ୍ରମରେ ଗୋଟିଏ ଚମକପ୍ରଦ ଖବର ହେଉଛି, ମୂଳରୁ ବିଜୁ ପକ୍କାଘର ନାହିଁ, କିନ୍ତୁ ହିତାଧିକାରୀଙ୍କୁ ମିଳିଛି ଘର ମରାମତି ଖର୍ଚ୍ଚ ।

ସଂପୃକ୍ତ ସୂଚନା ପାଇବା ପରେ ବିଡିଓଙ୍କ ମୁଣ୍ଡ କାମ କରୁନି । ଜିଲ୍ଲାର ନାମ କେନ୍ଦ୍ରାପଡ଼ା । ଆଳି ବ୍ଲକ ଆଳରସପୁର ନିବାସୀ ଦୁର୍ଯ୍ୟୋଧନ ନାୟକଙ୍କ ବ୍ୟାଙ୍କ ଜମାଖାତାକୁ ଆସିଲା ୩୦୦୦ ଟଙ୍କା । ଟଙ୍କା କୋଉଠୁ ଆସିଛି ଜାଣିବା ପାଇଁ ବ୍ୟାଙ୍କ ଧାଇଁଗଲେ ଦୁର୍ଯ୍ୟୋଧନ । ବ୍ଲକରୁ ଆକାଉଂଟକୁ ଟଙ୍କା ଯାଇଥିବା ଜାଣି ଦୁର୍ଯ୍ୟୋଧନ ବିଡିଓ ଅଫିସକୁ ଧାଇଁଲେ । ବୁଝିଲେ, ବିଜୁ ପକ୍କାଘର ମରାମତି ପାଇଁ ଟଙ୍କା ପଠାଯାଇଛି ।

ଦୁର୍ଯ୍ୟୋଧନଙ୍କ ଅକଲ ଗୁଡୁମ୍‌ । ଆରେ ସଳା, ମୋତେ ବିଜୁ ପକ୍କାଘର କେବେ ମିଳିଲା? ଖୋଳତାଡ଼ ଆରମ୍ଭ କରିଦେଲେ । ଜାଣିବାକୁ ପାଇଲେ, ୨୦୧୪-୧୫ରେ ଦୁର୍ଯ୍ୟୋଧନଙ୍କ ନାଁରେ ବିଜୁ ପକ୍କାଘର ମଞ୍ଜୁର ହୋଇଛି । ତିନୋଟି କିସ୍ତିରେ ୭୦ ହଜାର ଟଙ୍କା ଉଠାଯାଇଛି ।

ମୋ ନାମରେ ବିଜୁ ପକ୍କାଘର କିଏ ନେଇଛି? ଏଭଳି ଅଭିଯୋଗ ଦୁର୍ଯ୍ୟୋଧନଙ୍କ ନିକଟରୁ ଶୁଣିବା ପରେ ବିଡିଓଙ୍କ ପାଟିରୁ ଗୋଟିଏ ହେଲେ ଶବଦ ବାହାରୁନି । ବାଃ ରେ ନବୀନ ପଟ୍ଟନାୟକ! ପୁଅ ନାହିଁ ପୁଅ ପେଟରେ । ପୁଅର ମା’ ଖଡ଼ି ଗଡ଼ଉଛି ବନମାଳିପୁର ହାଟରେ ।