ଭୁବନେଶ୍ୱର : ଆମ ସମସ୍ତଙ୍କ ଭିତରେ ଜିତୁ ମୁଣ୍ଡା ଚରିତ୍ର ଅଛନ୍ତି। ବ୍ୟାଙ୍କ, ଡାକ୍ତରଖାନା, ସରକାରୀ ଅଫିସ, ଥାନା ଭଳି ସାର୍ବଜନୀନ ସ୍ଥାନରେ କାର୍ଯ୍ୟରତ କର୍ମଚାରୀମାନେ ପରିଚାଳନାଗତ ଧରାବନ୍ଧା ନିୟମକୁ ଆୟୁଧ କରି ଆମ ଭଳି ସରଳ ଲୋକଙ୍କ ମାନସିକତା ସହିତ ଖେଳିଲେ, ଆମ ଭିତରେ ଥିବା ଜିତୁ ମୁଣ୍ଡା ଏମିତି ମଶାଣୀରୁ କଙ୍କାଳ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବ। ଜଣେ ବୁଦ୍ଧିଜୀବୀଙ୍କ ଏପରି ମନ୍ତବ୍ୟ ଆମ ଭଳି ଗଣମାଧ୍ୟମକୁ ବିଚଳିତ କରିଛି।
ବିଜେଡି ଜିତୁ ମୁଣ୍ଡାଙ୍କ ଉଦାହରଣ ଦେଇ କ୍ଷମତାସୀନ ବିଜେପିକୁ ଟାର୍ଗେଟ୍ କରୁ ଅବା ବିଜେପି ଦାନ ମାଝୀଙ୍କ ଉଦାହରଣ ଦେଇ ବିରୋଧୀ ଦଳ ବିଜେଡିକୁ ସମାଲୋଚନା କରୁ; ସାଧାରଣ ଜନତାଙ୍କ ଉପରେ ସେସବୁର କିଛି ପ୍ରଭାବ ପଡ଼ିବନି। ଜିତୁ ମୁଣ୍ଡା ଭଳି ଲୋକମାନଙ୍କ ଦୃଷ୍ଟିରେ ଉଭୟ ବିଜେଡି ଓ ବିଜେପି ଦୋଷୀ। ସାଧାରଣ ଜନତା ଭଲ ଭାବରେ ଜାଣନ୍ତି; ଛୋଟମୋଟ ଘଟଣାରେ ଆରଡିସି ତଦନ୍ତ କରନ୍ତିନି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ତୃପକ୍ଷ ଯଦି ଜିତୁ ମୁଣ୍ଡାଙ୍କର ମାନସିକତାକୁ ପଢ଼ି ପାରିଥାନ୍ତେ। ଜିତୁ ମୁଣ୍ଡା ମଶାଣୀରୁ ତାଙ୍କ ଭଉଣୀଙ୍କର କଙ୍କାଳ ଆଣି ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଏମିତି ହଲାପଟା କରିବେ ବୋଲି ଜାଣିଥାନ୍ତେ; ଜିତୁ ମୁଣ୍ଡାଙ୍କୁ ବେଜିତ କରି ନଥାନ୍ତେ।
ଏବେ କଥା ଉଠୁଛି, ଜିତୁ ମୁଣ୍ଡା ଭଉଣୀଙ୍କ କଙ୍କାଳ ଆଣି ବ୍ୟାଙ୍କରେ ପହଂଚାଇବା ଉଚିତ ଥିଲା କି? ୟା’ର ଜବାବ ହେଉଛି, ଜିତୁ ମୁଣ୍ଡା ଆଉ କାହାରି ଜମାଖାତାରୁ ଟଙ୍କା ପାଇବାକୁ ଦାବି କରି ନଥିଲେ। ତାଙ୍କ ଭଉଣୀଙ୍କ ଜମାଖାତାରୁ ଟଙ୍କା ଦାବି କରିଥିଲେ। ବ୍ୟାଙ୍କ ଅଧିକାରୀଙ୍କ ଦରମା ଟଙ୍କା ଦାବି କରି ନଥିଲେ।
ଜିତୁଙ୍କ ପ୍ରତି ଅସଦାଚରଣ କରି ବ୍ୟାଙ୍କ ଅଧିକାରୀ ଠିକ କରିନାହାନ୍ତି ବୋଲି ଚତୁର୍ଥ ଶ୍ରେଣୀର ପିଲାଟିଏ କହିପାରିବ। ଏଥିରେ ଆରଡିସି ତଦନ୍ତର ଆବଶ୍ୟକତା ଦରକାର ନଥିଲା।
ସାଧାରଣ ଲୋକଙ୍କ ପ୍ରତି ବ୍ୟାଙ୍କ, ଡାକ୍ତରଖାନା, ଥାନା, ପୋଷ୍ଟ ଅଫିସ, ବ୍ଲକ ଅଫିସ, ତହସିଲ ଅଫିସ, ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀ କିଭଳି ଆଚରଣ ଓ ଉଚ୍ଚାରଣ କରିଥାନ୍ତି, ସେ ବିଷୟ ଆମ ମୁଖ୍ୟମନ୍ତ୍ରୀ ନିଜେ ଭୁକ୍ତଭୋଗୀ। ଶପଥ ଗ୍ରହଣ କରିବା ପରେ ପରେ ସେ ନିଜେ କିପରି ଗୋଟିଏ ଥାନାବାବୁଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ ବଖାଣିଥିଲେ।
ବ୍ୟାଙ୍କ୍ କର୍ତୃପକ୍ଷ ଜିତୁଙ୍କୁ ଟଙ୍କା ନଦେଇ ଫେରାଇ ଦେଇଥିଲେ। ତେଣୁ ଅଭାବନୀୟ ଘଟଣା ପାଇଁ ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ସମ୍ପୂର୍ଣ୍ଣ ଭାବେ ଦାୟୀ। ଗୁରୁବାର ଉତରାଂଚଳ ଆରଡିସି ଘଟଣା ତଦନ୍ତ କରି ଏଭଳି କହିଛନ୍ତି।
ଜିତୁ ମୁଣ୍ଡା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଉଣୀର କଙ୍କାଳ ଆଣିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଊଉ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଠାରୁ ଏହି ଅଭାବନୀୟ ଘଟଣାରେ ଆରଡିସି ତଦନ୍ତ ହୋଇଛି।
ଗୁରୁବାର ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ପ୍ରଥମେ ପାଟଣାସ୍ଥିତ ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଂଚିଥିଲେ। ସେଠାରେ ବ୍ୟାଙ୍କ ମ୍ୟାନେଜର ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରିଥିଲେ। ଏହାସହିତ ବ୍ୟାଙ୍କର ସିସିଟିଭି ଫୁଟେଜକୁ ପୁଙ୍ଖାନୁପୁଙ୍ଖ ଭାବେ ଚେକ୍ କରିଥିଲେ। ପ୍ରାୟ ଏକ ଘଂଟା କାଳ ତଦନ୍ତ ପରେ ଏହି ସମ୍ବେଦନଶୀଳ ଘଟଣାର ସବୁ ସତ ସାମ୍ନାକୁ ଆସିଛି। ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କ କର୍ମଚାରୀ ଟଙ୍କା ନଦେଇ ଫେରାଇ ଦେଇଥିଲେ। ଦିନ ୧୧ଟା ୨୬ରେ ଜିତୁ ବ୍ୟାଙ୍କକୁ ଆସିଥିଲେ ଏବଂ ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଥିଲେ। ସେହି ସମୟରେ ସେ ୪ଥର ବ୍ୟାଙ୍କ କର୍ମଚାରୀଙ୍କୁ ଭେଟିଥିଲେ। ମୃତ ଭଉଣୀ କାଲାରା ମୁଣ୍ଡା ଜମା ରଖିଥିବା ୧୯ ହଜାର ୩୦୦ ଟଙ୍କା ଉଠାଇବାକୁ କହିଥିଲେ। ମାତ୍ର ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଉଠାଇବାରେ ବିଫଳ ହେବା ପରେ ବ୍ୟାଙ୍କ୍ ମ୍ୟାନେଜର ସହିତ ସାକ୍ଷାତ କରିଥିଲେ। ହେଲେ ଭଉଣୀର ମୃତ୍ୟୁ ପ୍ରମାଣ ପତ୍ର ଆଣି ନଥିବାରୁ ତାଙ୍କୁ ସେ ମଧ୍ୟ ଫେରାଇ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଜିତୁ ଭଉଣୀର କଙ୍କାଳ ଆଣିଥିଲେ ବ୍ୟାଙ୍କ ସମ୍ମୁଖରେ ବସି ରହିଥିଲେ ବୋଲି ଆରଡିସି ତଦନ୍ତରୁ ଜଣାପଡ଼ିଛି।
ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ହେଲେ ମୃତକଙ୍କର ମୃତ୍ୟୁ ପ୍ରମାଣପତ୍ର ଦେଖାଇବା ଏକ ଧରାବନ୍ଧା ନିୟମ। ଏ ବିଷୟରେ ଜିତୁ ମୁଣ୍ଡାଙ୍କୁ ତାଙ୍କ ଗ୍ରାମର ୱାର୍ଡ ମେମ୍ବର ଜଣାଇବା କଥା। ସରପଂଚ ଜଣାଇବା କଥା। ବ୍ଲକ ଅଫିିସରୁ ମୃତ୍ୟୁ ପ୍ରମାଣପତ୍ର ହାସଲ ନକରି ମଶାଣିକୁ ଯାଇ ମୃତ ଭଉଣୀଙ୍କ କଙ୍କାଳ ବାହାର କରି ବ୍ୟାଙ୍କ ପହଂଚାଇ ଗୋଟିଏ ନାଟକ ରଚିବା କ’ଣ ଦରକାର ଥିଲା? ଆରଡିସି ଏକପାଖିଆ ତଦନ୍ତ କରି ସରପଂଚ, ୱାର୍ଡମେମ୍ବର, ବିଡିଓ, ତହସିଲଦାର, ଜିଲ୍ଲାପାଳଙ୍କୁ ଦୋଷମୁକ୍ତ କରିଦେଲେ।
ଏକପାଖିଆ ତଦନ୍ତ କରିବାକୁ ଯାଇ ଆରଡିସି ଗୁରୁବାର ସକାଳେ ପୂରା ଟିମ୍ ସହିତ ଜିତୁ ମୁଣ୍ଡାଙ୍କ ଗାଁ ଡିଆନାଳୀରେ ପହଂଚିଥିଲେ। ସେଠାରେ ତଦନ୍ତକାରୀ ଦଳ ଜିତୁଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ।
କେଉଁ ପରିସ୍ଥିତିରେ ସେ ଭଉଣୀର କଙ୍କାଳ ବ୍ୟାଙ୍କକୁ ନେଇ ଯାଇଥିଲେ ପଚାରି ବୁଝିଥିଲେ। ଅନ୍ୟପଟେ ଆରଡିସି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ପହଂଚି ତଦନ୍ତ କରିଛନ୍ତି। କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ମେଡିକାଲ ପକ୍ଷରୁ ଜିତୁଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ମିଳି ନଥିଲା। ମେଡିକାଲ କର୍ତୃପକ୍ଷ ଡେଥ୍ ସାର୍ଟିଫିକେଟ୍ ଦେବାରେ ଆବହେଳା କରିଛନ୍ତି ବୋଲି ଆରଡିସି ଘଟଣାର ତଦନ୍ତ ପରେ କହିଛନ୍ତି।
ସୂଚନା ଅନୁଯାୟୀ, ଜମା ଟଙ୍କା ପାଇବାକୁ ବଡ ଭଉଣୀର କଙ୍କାଳ ବ୍ୟାଙ୍କ ଆଗରେ ରଖିଥିଲେ ଜିତୁ ମୁଣ୍ଡା। ଘଟଣାର ୨୪ ଘଂଟା ପରେ ଜିତୁଙ୍କ ଘରେ ପହଂଚିଥିଲା ବ୍ୟାଙ୍କ। ଭଉଣୀଙ୍କ ଜମା ଖାତାରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରିଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଜିତୁ ମୁଣ୍ଡାଙ୍କ ନିକଟରେ ପହଂଚି ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦେଇଛି।
ଜିତୁ ମୁଣ୍ଡା ବଡ଼ ବାହାଦୁରି କାମ କରିଛନ୍ତି। ରାଜ୍ୟର ପ୍ରତ୍ୟେକ ସାଧାରଣ ଜନତା ଯଦି ଜିତୁ ମୁଣ୍ଡାଙ୍କ ଭଳି ମାନସିକତା ଆଦରି ନିଅନ୍ତେ; ତେବେ ସବୁ ସରକାରୀ ଦପ୍ତର ଠିକ ବାଟରେ ଚାଲିବ। ପ୍ରଶାସନିକ ସ୍ତରରେ ଚାଲିଥିବା ସବୁ ଅଡୁଆ କାମ ଆପେ ଆପେ ସହଜ ହୋଇଯିବ।
ଜିତୁ ମୁଣ୍ଡା ଭଉଣୀର କଙ୍କାଳକୁ ବ୍ୟାଙ୍କ ଆଗରେ ରଖି ସରକାରୀ ନୀତି ନିୟମରେ ଥିବା ଦୋଷତ୍ରୁଟି ସଂପର୍କରେ ଜନତାଙ୍କୁ ଜଣାଇଛନ୍ତି।