ଏସିରେ ଶୋଇବା ଆରାମଦାୟକ ନୁହେଁ ବିପଦ, ଜାଣନ୍ତୁ କେମିତି ଆପଣଙ୍କ ହାଡ଼କୁ ଦୁର୍ବଳ କରୁଛି

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ….

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଖରା ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକଙ୍କ ପାଇଁ ଶେଷ ଭରସା ପାଲଟିଛି ଏସି। ଘର ହେଉ କି ଅଫିସ୍‌ କିମ୍ବା କାର୍‌, ଆଜିକାଲି ଲୋକେ ୨୪ ଘଂଟା ଏସି ଭିତରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଯେଉଁ ଏସି ଆପଣଙ୍କୁ ଆରାମ ଦେଉଛି, ତାହା ଆପଣଙ୍କ ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ? ଏସିରେ ଅଧିକ ସମୟ ରହିଲେ ଏହା ଶରୀର ଉପରେ କେଉଁ ପ୍ରଭାବ ପକାଏ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହେବେ। ବିଶେଷଜ୍ଞଙ୍କ ମତରେ, ଏସିରେ ରହିଲେ ଶରୀରରେ ଯନ୍ତ୍ରଣା ଆରମ୍ଭ ହୁଏ। ଏସିରେ ଶୋଇଲେ ହାଡ଼ ଦୁର୍ବଳ ହୋଇଯାଏ ! ଏହା ପଛର ପ୍ରକୃତ ସତ ଜାଣନ୍ତୁ।
ଅନେକ ସମୟରେ ଆମେ ଶୁଣିବାକୁ ପାଉ, ଏସିର ଥଣ୍ଡା ପବନ ହାଡ଼କୁ ଦୁର୍ବଳ କରିଦିଏ। କିନ୍ତୁ ଡାକ୍ତରଙ୍କ ମତରେ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ପ୍ରକୃତ କଥା ହେଉଛି, ଯେତେବେଳେ ଆମେ ଦୀର୍ଘ ସମୟ ଧରି ଅତ୍ୟଧିକ ଥଣ୍ଡା ପରିବେଶରେ ରହୁ, ସେତେବେଳେ ଆମ ଶରୀରର ମାଂସପେଶୀ ଗୁଡ଼ିକ ଶକ୍ତ ବା ଟାଇଟ୍‌ ହୋଇଯାଏ। ଏହି କାରଣରୁ ଗଣ୍ଠିରେ ଯନ୍ତ୍ରଣା ଏବଂ ଶରୀରରେ ଷ୍ଟିଫନେସ୍‌ ଅନୁଭବ ହୁଏ। ଯଦି ଆପଣଙ୍କୁ ପୂର୍ବରୁ ଗଣ୍ଠି ବାତ ବା ଆର୍ଥ୍ରାଇଟିସ ସମସ୍ୟା ଅଛି, ତେବେ ଏସି ପବନ ଏହି ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥାଏ।
ଏସିର ବ୍ୟବହାର କେବଳ ହାଡ଼ ନୁହେଁ, ଆପଣଙ୍କ ଫୁସଫୁସ୍‌ ଉପରେ ମଧ୍ୟ ପ୍ରଭାବ ପକାଏ। ଯଦି ଆପଣ ଏସିର ଫିଲ୍ଟରକୁ ନିୟମିତ ସଫା କରୁନାହାନ୍ତି, ତେବେ ସେଥିରେ ଧୂଳି, ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍‌ ଜମା ହୋଇଯାଏ। ଏହି ଅପରିଷ୍କାର ପବନ ଶରୀର ଭିତରକୁ ଗଲେ ଆଲର୍ଜି ଏବଂ ଶ୍ୱାସକ୍ରିୟା ଜନିତ ଗମ୍ଭୀର ସମସ୍ୟା ଦେଖାଦେଇଥାଏ ।
ଏସି ରୁମ୍‌ରେ ବସିଲେ ଆମ ଶରୀରର ଆର୍ଦ୍ରତା କମିବାକୁ ଲାଗେ। ଏହା ଦ୍ୱାରା ଚର୍ମ ଶୁଷ୍କ ବା ଡ୍ରାଏ ହୋଇଯାଏ। ଯେଉଁମାନେ ଦୀର୍ଘ ସମୟ ଏସିରେ ବସି ମୋବାଇଲ କିମ୍ବା ଲାପଟପ୍‌ ବ୍ୟବହାର କରନ୍ତି, ସେମାନଙ୍କ ଆଖିରେ ପୋଡ଼ାଜଳା ଏବଂ ‘ଡ୍ରାଏ ଆଇ’ ଭଳି ସମସ୍ୟା ଦେଖାଯାଏ। ଏସି ପରିବେଶରେ ବସିଲେ ଆମକୁ ଶୋଷ କମ୍‌ ଲାଗେ, କିନ୍ତୁ ଆମ ଶରୀର ଭିତରୁ ଜଳୀୟ ଅଂଶ କ୍ରମାଗତ ଭାବେ କମିବାରେ ଲାଗେ। ଏହି କାରଣରୁ ଡିହାଇଡ୍ରେସନ୍‌ ହୁଏ, ଯାହାର ସଂକେତ ସ୍ୱରୂପ ମୁଣ୍ଡବିନ୍ଧା, ଦୁର୍ବଳତା ଓ ସବୁବେଳେ ଥକ୍କାପଣ ଅନୁଭବ ହୋଇଥାଏ।
ବିଶେଷଜ୍ଞଙ୍କ ଅନୁସାରେ, ରାତିସାରା ଅତ୍ୟଧିକ କମ୍‌ ତାପମାତ୍ରାରେ ଏସି ଚଲାଇ ଶୋଇବା ଦ୍ୱାରା ନିଦର ଗୁଣବତା ଖରାପ ହୁଏ। ଶରୀର ଗଭୀର ନିଦ୍ରା ପାଇପାରେ ନାହିଁ, ଫଳରେ ସକାଳୁ ଉଠିବା ପରେ ଶରୀରରେ ଯନ୍ତ୍ରଣା ଓ ଥକ୍କା ଲାଗିଥାଏ। ଏସି ଆରାମଦାୟକ ନିଶ୍ଚୟ, କିନ୍ତୁ ଏହାର ସଠିକ୍‌ ବ୍ୟବହାର ଜାଣିବା ଜରୁରୀ। ତେଣୁ ଏସିର ତାପମାତ୍ରାକୁ ସବୁବେଳେ ୨୪ରୁ ୨୬ ଡିଗ୍ରୀ ମଧ୍ୟରେ ରଖନ୍ତୁ। ନିୟମିତ ଭାବେ ଏସି ସର୍ଭିସିଂ କରନ୍ତୁ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଏସି ବନ୍ଦ କରିବା ପାଇଁ ରାତିରେ ସବୁବେଳେ ଟାଇମର୍‌ ବ୍ୟବହାର କରନ୍ତୁ। ମନେରଖନ୍ତୁ, ସାବଧାନତା ହିଁ ସୁସ୍ଥ ରହିବାର ସୂତ୍ର।