ଭୁବନେଶ୍ୱର: ଓଡିଶାରେ ପୂର୍ଣ୍ଣପ୍ରାଣରେ କାର୍ଯ୍ୟକାରୀ କରାଯିବ ସୁପ୍ରିମକୋର୍ଟଙ୍କ ରାୟ। ବୁଲାକୁକୁରଙ୍କୁ ଆଉ ନିସ୍ତାର ନାହିଁ। ରାସ୍ତାଘାଟରେ ହିଂସ୍ର ମନୋଭାବ ପୋଷଣ କରୁଥିବା ବୁଲା କୁକୁରଙ୍କ ପ୍ରତି ଆଉ ଦୟା ପ୍ରଦର୍ଶନ କରାଯିବନି। ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, କୁକୁରଙ୍କୁ ହିଂସ୍ର ଆଚରଣରୁ ରୋକିବା ପାଇଁ ପଦକ୍ଷେପ ନିଆଯିବ। କୁକୁରଙ୍କୁ ଟିକାକରଣ ଓ ବନ୍ଧ୍ୟାକରଣ କରାଯାଉଛି। ଜଳାନ୍ତକରେ ସଂକ୍ରମିତ କୁକୁରଙ୍କୁ ଥଇଥାନ କରାଯାଉଛି। କୁକୁର ହିଂସ୍ର ହେବା ଚିନ୍ତାଜନକ। ପବ୍ଲିକ୍ ଜାଗାରେ ମାଂସ ଖାଇବାକୁ ଦେଇ ହିଂସ୍ର କରୁଛେ। ତେଣୁ କୁକୁରପ୍ରେମୀମାନେ ଏଣେତେଣେ ଖାଇବାକୁ ନଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ବୁଲା କୁକୁରଙ୍କ ପ୍ରତି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। କୁକୁରପ୍ରେମୀ ଓ ବୁଲା କୁକୁରଙ୍କ ପାଇଁ ଗାଇଡ୍ ଲାଇନ୍ ରହିଛି। ସର୍ବସାଧାରଣ ସ୍ଥାନରେ ବୁଲା କୁକୁର ଯେମିତି ନ ରୁହନ୍ତି ସେଥିପାଇଁ ପଦକ୍ଷେପ ନିଆଯାଉଛି। ସୁପ୍ରିମକୋର୍ଟ ଯାହା ରାୟ ଦେଇଛନ୍ତି ତାକୁ ଆମେ ସମ୍ମାନ ଦେଇ କାର୍ଯ୍ୟକାରୀ କରିବୁ। ନଗର ଉନ୍ନୟନ ବିଭାଗ ସହ ମିଶି କିପରି ହିଂସ୍ର କୁକୁରଙ୍କୁ ରୋକା ଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ।
ବିଭିନ୍ନ ଶିକ୍ଷାନୁଷ୍ଠାନ, ମନ୍ଦିର ଭଳି ଜନଗହଳି ଜାଗାରୁ କୁକୁରଙ୍କୁ ହଟାଯିବ। ଆଗରୁ ସୁପ୍ରିମକୋର୍ଟଙ୍କ ଯାହା ନିୟମ ଥିଲା ବଳବତର ରହିଛି। ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ସ୍ୱାଗତଯୋଗ୍ୟ। ଯାହା ପଦକ୍ଷେପ ନେବା କଥା ଆମ ବିଭାଗ ନେବ। ମୁନିସିପାଲିଟି ମିଶିଲେ ଏହି କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ।