ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କ’ଣ ଚାଟିବୁ?

ଜଗତସିଂପୁର: ଡାକ୍ତରଖାନାରେ ଡାକ୍ତର ଅଭାବ । ହାତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ, କ’ଣ ହେବ? ଏମିତି ଜବାବ ଦେଇଛନ୍ତି ଗରିବ ରୋଗୀ । ଜଗତସିଂପୁର ଜିଲ୍ଲାର ସଦର ମହକୁମା ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ ।

ଅଧିକାଂଶ ରୋଗୀ କହୁଛନ୍ତି, ଭାଗ୍ୟରେ ଥିଲେ ଡାକ୍ତରଙ୍କ ଭେଟ ମିଳୁଛି । ଡାକ୍ତରଖାନାରେ ୫୮ ଜଣ ଡାକ୍ତରଙ୍କର ଆବଶ୍ୟକତା ରହିଛି । ମାତ୍ର କାମ କରୁଛନ୍ତି ମାତ୍ର ୪୩ ।

‘ଭାଗ୍ୟ ଭଲ ବୋଲି ୪୩ ଜଣ ଡାକ୍ତରଙ୍କ ସହଯୋଗରେ ରୋଗୀ ସେବା ଚାଲିଛି । ଅଧିକାଂଶ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବି ଡାକ୍ତର ନାହାନ୍ତି । କେମିତି ରହିବେ, କଟକ ଭୁବନେଶ୍ୱର ଭଳି ଜାଗାରେ ଟଙ୍କା ଉଡୁଛି । ସେଭଳି ଜାଗା ଛାଡ଼ି କିଏ କାହିଁକି ଦୁର୍ଗମ ଅଂଚଳକୁ ଯିବ ।’

ଏମିତି ମନ୍ତବ୍ୟ ଦେଇଛନ୍ତି ଜଣେ ଡାକ୍ତର । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ଖୋଦ ମୁଖ୍ୟମନ୍ତ୍ରୀ ଜଗତସିଂପୁର ସଦର ଡାକ୍ତରଖାନାର ହାଲତ ଦେଖନ୍ତୁ । ତା’ପରେ ଗଣମାଧ୍ୟମ ଆଗରେ ରାଜ୍ୟର ସ୍ୱାସ୍ଥ୍ୟସେବା ଉଚ୍ଚକୋଟିର ବୋଲି କହିବେ ।

ଜଗତସିଂପୁର ମୁଖ୍ୟ ଡାକ୍ତରଖାନାରେ ଡାକ୍ତର, ନର୍ସ, କମ୍ପାଉଣ୍ଡର ଅଭାବ ଥିବାରୁ ଅଧିକାଂଶ ରୋଗୀ ବାଧ୍ୟ ହୋଇ କଟକ ଓ ଭୁବନେଶ୍ୱରକୁ ଯାଉଛନ୍ତି ।