ଆପଣା ଜାଲରେ ଫସିଯିବେ ବିଜେଡି ଓ ବିଜେପି

ଭୁବନେଶ୍ୱର: ଦୁର୍ନୀତି ଓ ଭ୍ରଷ୍ଟାଚାରର ପାହାଡ ଉପରେ ବସିଛନ୍ତି ବିଜେଡି ଓ ବିଜେପି । ପ୍ରଧାନମନ୍ତ୍ରୀ ମୋଦି ୧୪୦ କୋଟି ଜନତାଙ୍କୁ ଲୁଟୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ କୋଟି ୭୦ ଲକ୍ଷ ଜନତାଙ୍କୁ ଲୁଟୁଛନ୍ତି । ବିଜେପି ପାଣ୍ଠିରେ ୫୨୭୧ କୋଟି ଟଙ୍କା ରହିଛି । ବିଜେଡି ପାଣ୍ଠିରେ ୩୨୦ କୋଟି ଟଙ୍କା । ନିର୍ବାଚନ କମିଶନ ଜାଣତରେ ବିଜେପି ପାଣ୍ଠିରେ ସିନା ୫୨୭୧ କୋଟି ଟଙ୍କା ରହିଛି । ମାତ୍ର ଆଦାନୀ, ଅମ୍ବାନୀ, ଟାଟା, ମହିନ୍ଦ୍ରା ଭଳି କମ୍ପାନୀଗୁଡ଼ିକ ବିଜେପିର ପ୍ରଚାର ଓ ଜନ ସମାବେଶ ଖର୍ଚ୍ଚ ତୁଲାଉଛନ୍ତି ।

ଅବିକଳ ଚିତ୍ର ରାଜ୍ୟରେ ଦେଖିବାକୁ ମିଳିଛି । ଓଡ଼ିଶାରେ କଳ କାରଖାନା ବସାଇବା ପାଇଁ ବିଦେଶୀ ଶିଳ୍ପପତିଙ୍କୁ ଡାକି ଆଣି ସେମାନଙ୍କ ସହ ମୂଲଚାଲ କରାଯାଉଛି । ଯୋଉ ଶିଳ୍ପପତି ବିଜେଡି ପାଣ୍ଠିକୁ ଯେତେ ଅଧିକ ଚାନ୍ଦା ଦେଉଛି, ସେହି ଶିଳ୍ପପତିଙ୍କୁ ଶାଗମାଛ ମୂଲ୍ୟରେ ଜମି, ଜଙ୍ଗଲ, ଖଣିଖାଦାନ, ପାଣି, ବିଜୁଳି, କଂଚାମାଲ ଯୋଗାଇ ଦିଆଯାଉଛି ।

ଲୋକଙ୍କ ହାତକୁ ଟଙ୍କାଏ ଦେଇ ଭୋଟ ନେଉଛନ୍ତି । କ୍ଷମତାକୁ ଯିବା ପରେ ଶିଳ୍ପପତିଙ୍କ ହାତକୁ କୋଟିଏ ଟଙ୍କା ଟେକି ଦେଉଛନ୍ତି । ବିକଶିତ ଭାରତରେ ଜଣେ ଲୋକ ଦିନକୁ ଦୁଇଓଳି ଖାଇବା ପାଇଁ ସରକାରଙ୍କ ହାତଟେକାକୁ ଅନାଇଛି । ଆଉ ଜଣେ ସିନ୍ଦୁକରେ ସୁନାଇଟା ସାଇତି ରଖିଛି । ଇଏ କି ପ୍ରକାର ଗଣତନ୍ତ୍ର?

ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ହରାଇବା ପାଇଁ ନାନା ଫିସାଦି ଚଲାଇଛନ୍ତି । ବିଜେପିକୁ ତା’ର ବିଦ୍ରୋହୀ ପରାଜିତ କରିବେ । ବିଜେଡିକୁ ତା’ର ବିଦ୍ରୋହୀ ପରାଜିତ କରିବେ । ବିଜେଡି ଓ ବିଜେପିର ନେତାମାନେ ଆପଣା ଆପଣା ଭିତରେ ହଣାହଣି ହୋଇ ମରିବେ କାରଣ ଦୁଇଟି ଯାକ ଦଳ ଗରିବ ଜନତାଙ୍କ ଆଶା ଓ ବିଶ୍ୱାସକୁ ପ୍ରତି ମିନିଟରେ ଲୁଣ୍ଠନ କରୁଛନ୍ତି ।