ରାଜ୍ୟକୁ ପୁଣି ଫେରିଲା ଶୀତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା କିଛି ଦିନ ପାଇଁ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ଓଡ଼ିଶାକୁ ପ୍ରବାହିତ ହେଉଛି। ଫଳରେ ଆସନ୍ତା ୨ରୁ ୩ ଦିନରେ ରାଜ୍ୟର ତାପମାତ୍ରା କମିବା ଆରମ୍ଭ କରିବ। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିପାରେ। ଆଜି ସକାଳୁ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଯାଇଛି। ରାଜ୍ୟ ମଧ୍ୟକୁ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନର ପ୍ରବାହ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଆସନ୍ତା ୨ ଦିନ ମଧ୍ୟରେ ଏହି ତାପମାତ୍ରା ସ୍ୱାଭାବିକ ଠାରୁ ତଳକୁ ଖସିଯିବ। କିଛି କିଛି ସ୍ଥାନରେ ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ବି ରହିପାରେ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦେଖାଯିବ।