ମନ୍ଦିର ଜମିକୁ ଛାଡି ଆରମ୍ଭ ହେବ ବସ୍ ଟର୍ମିନାଲ କାମ

କଟକ(ଏସ୍ ନ୍ୟୁଜ): ଖାନନଗର ଶ୍ମଶାନ କାଳୀ ମନ୍ଦିର ଜମି ଉପରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି ରହିଛି। ଏହାରି ଭିତରେ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ ଓ ସିଏମସି କମିଶନର ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରିଛନ୍ତି। ୧୨ ଏକର ଜମିରେ କେମିତି କାମ ଚାଲିବ ସେ ନେଇ ଅନୁଧ୍ୟାନ କରିଛନ୍ତି। କେତେ ଜମି ଉପରେ ମନ୍ଦିର ଓ ଅନ୍ୟାନ୍ୟ ନିର୍ମାଣ କାମ ରହିଛି ତା’ର ତଦାରଖ କରିଛନ୍ତି ପ୍ରଶାସନ ଅଧିକାରୀ। ପ୍ରସ୍ତାବିତ ବସ ଟିର୍ମିନାଲ ତିଆରି ହେଲେ କେଉଁ ବାଟ ଦେଇ ରାସ୍ତା ଯିବ କେଉଁ ବାଟ ଦେଇ ଅନ୍ୟ ସୁବିଧା ସବୁ ଲୋକଙ୍କୁ ମିଳିବ ଏବଂ ଏହା ତିଆରି ହେଲେ କେଉଁମାନେ ପ୍ରଭାବିତ ହେବ ସେ ନେଇ ଅନୁଧ୍ୟାନ କରାଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଏଥିସହ ଶ୍ମଶାନରେ ଥିବା କାଳି ମନ୍ଦିରକୁ ମଧ୍ୟ ଅନ୍ୟ ସ୍ଥାନକୁ ନେଇ କିଭଳି ପ୍ରତିଷ୍ଠା କରାଯିବ ସେ ନେଇଁ ମଧ୍ୟ ଅନୁଧ୍ୟାନ କରାଯାଇଥିବା ସେ କହିଛନ୍ତି।

ସେପଟେ କାଳିମନ୍ଦିର ପ୍ରତିଷ୍ଠାତାଙ୍କ ପରିବାର ଲୋକେ କହିଛନ୍ତି, ବସ୍ ଟର୍ମିନାଲ ତିଆରି ହେଉ, ସେଥିରେ ଆମେ ଖୁସି ଅଛୁ। କିନ୍ତୁ୧୫୧୩ରୁ ତିଆରି ହୋଇଥିବା କାଳି ମନ୍ଦିରକୁ ଏଠାରୁ ଉଠାଇ ନେଇ ଅନ୍ୟ ଜାଗାରେ ସ୍ଥାନିତ କରାଯିବାକୁ ନେଇ ସେ ସମର୍ଥନ କରୁନଥିବା କହିଛନ୍ତି। ମନ୍ଦିରର ୩ ଏକର ଜାଗା ରହିଛି। ତେଣୁକରି ମନ୍ଦିର ବିଷୟରେ କ’ଣ ନିଷ୍ପତ୍ତି ନିଆଯିବ ତାହା ହାଇକୋର୍ଟଙ୍କ ଆଦେଶ ଉପରେ ନିର୍ଭର କରାଯାଉଛି।