ବିହାର ବିଧାନସଭା ନିର୍ବାଚନରୁ ବିଜେପିର ଲୋକପ୍ରିୟତା ପ୍ରମାଣ ହୋଇଯିବ

ପାକିସ୍ତାନ ଓ ପିଓକେ ଭିତରେ ପଶି ଆତଙ୍କୀ ଆଡ୍ଡା ଉପରେ ହମ୍‌ଲା କରିବା ପୂର୍ବରୁ ଭାରତ ସରକାର ପାକିସ୍ତାନ ସରକାରଙ୍କ ସହଯୋଗ କାମନା କରିଥିଲେ । ଏ ଖବର କେବଳ ବିଦେଶ ମନ୍ତ୍ରୀ ଜୟଶଙ୍କର ଗଣମାଧ୍ୟମ ଆଗରେ କହି ନଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ମଧ୍ୟ ଏକ ପାକ୍‌ ଚାନେଲରେ ଜୟଶଙ୍କରଙ୍କ ମନ୍ତବ୍ୟକୁ ଦୋହରାଇଥିଲେ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଏବେ ଜୟଶଙ୍କର ଯୋଉ ସ୍ପଷ୍ଟୀକରଣ ପ୍ରଦାନ କରୁଛନ୍ତି, ତାହାର ସତ୍ୟତା ଯାହା ହେଇଥାଉନା କାହିଁକି, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ରୂପେ ଭାରତକୁ ଶାସନ କରୁଛନ୍ତି, ତାହା ଦେଶବାସୀ ଜାଣି ସାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଜୀ ବିଜେପି ଜନସଭାରେ ଯୋଗଦାନ କରି ଗାଇ ବୁଲୁଛନ୍ତି ଯେ ପହଲଗାମ ଆତଙ୍କୀ ହମ୍‌ଲାର ପ୍ରତିଶୋଧ ନେଲା ଅପରେସନ୍‌ ସିନ୍ଦୁର । ଆତଙ୍କୀ ବିରୋଧୀ ଅଭିଯାନ ‘ଅପରେସନ୍‌ ସିନ୍ଦୁର’ କେତେବେଳେ ଭାରତ-ପାକିସ୍ତାନ ଯୁଦ୍ଧ ରୂପ ନେଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟ୍‌ ପରେ ପରେ ଭାରତ ଆଗ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କରିବା ବିଷୟଟି ଆଉ ଲୁଚିକି ରହିନି ।

ଜୟଶଙ୍କରଙ୍କ ସ୍ପଷ୍ଟୀକରଣର ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ହୀନ ଉଦ୍ଦେଶ୍ୟ ଦେଶବାସୀ ଜାଣି ସାରିଛନ୍ତି । ବିହାର ବିଧାନସଭା ନିର୍ବାଚନରେ ବିଜେପି ପ୍ରତି ଦେଶବାସୀଙ୍କ ଭଲ ପାଇବା ପ୍ରମାଣ ହୋଇଯିବ ।