ବିଜୁ ଜନତା ଦଳ କୁମ୍ଭୀର କାନ୍ଦଣା କାନ୍ଦିବା ବନ୍ଦ କରୁ: ଡ.ମୁକେଶ ମହାଲିଙ୍ଗ

୫ଜି ସେବାକୁ ନେଇ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗ

ବିଜୁ ଜନତା ଦଳ ତଥ୍ୟ ଆଧାରିତ ବିତର୍କ କରୁ..

ଭୁବନେଶ୍ୱର,(ସା କ୍ ସୀ ନ୍ୟୁଜ୍) ତା ୦୫/୦୧: ଆଜି ଓଡିଶା ପାଇଁ ଏକ ଐତିହାସିକ ଦିନ । ଓଡିଶାରେ ଆଜି ନିର୍ଦ୍ଧାରିତ ସମୟଟାରୁ ଆଗୁଆ ୫ଜି ସେବା ଶୁଭାରମ୍ଭ କରାଯାଇଛି । ଓଡିଶାରେ ଟେଲି ସେବା ଯୋଗାଇବା ନେଇ ମୋଦି ସରକାରଙ୍କର ଅବଦାନ ଐତିହାସିକ । ବିଜୁ ଜନତା ଦଳ ୫ଜିର ସେବାକୁ ନେଇ ଆଦୌ ବିବ୍ରତ ନହେଉ । ଯେ ପର୍ଯ୍ୟନ୍ତ କେନ୍ଦ୍ରରେ ମୋଦି ସରକାର ଅଛିି ସେତେବେଳ ପର୍ଯ୍ୟନ୍ତ ଓଡିଶାର ଜନତାଙ୍କର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ରହିଛି । ୨୨ ବର୍ଷ ଶାସନରେ ରହିବା ପରେ ବି ପାଖାପାଖି ୧୦ ହଜାର ଗାଁକୁ ସବୁ ଦିନିଆ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଥିବା ବିଜୁ ଜନତା ଦଳର ସାଂସଦ ଅମର ପଟ୍ଟନାୟକ ଆଜି ଟେଲି ଡେନସିଟ କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଧାୟକ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।

ସବୁବେଳେ କେନ୍ଦ୍ର ଅବହେଳାର ମିଛ ବୟାନବାଜି କରୁଥିବା ବିଜୁ ଜନତା ଦଳ ତଥ୍ୟ ଉପରେ ବିତର୍କ କରୁ । ୨୦୧୪ରେ ଓଡିଶାରେ ଟେଲି ଡେନସିଟ ଥିଲା ୬୦, ଏବେ ମୋଦି ସରକାରଙ୍କ ୮ ବର୍ଷରେ ଏହା ପହଂଚିଲାଣି ୭୫ରେ । ସେହି ୮ ବର୍ଷରେ ଜାତୀୟ ହାର ୯% ବଢିଥିବା ବେଳେ ଓଡିସାରେ ଏହା ୧୫% ବଢିଛି । ସେହିଭଳି ୨୦୧୪ରେ ଓଡିଶାରେ ମାତ୍ର ୭୫୬୨ଟି ଟେଲିକମ ଟାଓାର ଥିଲା । ମୋଦି ସରକାରଙ୍କ ୮ ବର୍ଷରେ ଏହା ବଢି ୨୪୬୯୨ରେ ପହଂଚିଲାଣି ।
୨୦୧୪ରେ ଅପ୍ଟିକାଲ ଫାଇବାର ଥିଲା ମାତ୍ର ୪୦ ହଜାର କିମିର । ଏବେ ଏହା ପହଂଚିଲାଣି ୧ ଲକ୍ଷ ୨୦ ହଜାର କିମିରେ । ସେହିଭଳି ବ୍ରଡବ୍ୟାଣ୍ଡ କନେକସନ ଓଡିଶାରେ ଥିଲା ମାତ୍ର ୬ ଲକ୍ଷ, ଆଜି ଏହା ୨ କୋଟି । ଏବେ କେନ୍ଦ୍ର ସରକାର ପୁଣି ୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି ଓଡିଶାରେ ଆଉ ୫ହଜାର ଟେଲିକମ ଟାଓାର ପାଇଁ । ତେଣୁ ଓଡିଶାରେ ଟେଲିକମ ସେବାର ବିକାଶ ନେଇ କେନ୍ଦ୍ରରେ ଥିବା ବିଜେପି ସରକାର ସବୁବେଳେ ଆଗ୍ରାଧୀକାର ଦେଇ ଆସିଛି ବୋଲି ଡ.ମହାଲିଙ୍ଗ କହିଛନ୍ତି ।

ବିଜୁ ଜନତା ଦଳ ପାଖରେ ଏବେ କେନ୍ଦ୍ର ଅବହେଳାର କୁମ୍ବୀର କାନ୍ଦଣା କାନ୍ଦିବା ଛଡା ସେମାନଙ୍କ ପାଖରେ ଏବେ ଆଉ କିଛ ରାଜନୈତିକ ପ୍ରସଙ୍ଗ ନାହିଁ । ଓଡିଶାରେ ପ୍ରତି ଗାଁକୁ ଅପ୍ଟିକାଲ ଫାଇବାର ସଂଯୋଗ ପାଇଁ କେନ୍ଦ୍ର ସରକାର ୧୦୮୦ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇଛନ୍ତି । ସେହି କାମ କେତେବାଟ ଗଲା ବିଜୁ ଜନତା ଦଳ ଜବାବ ରଖୁ ବୋଲି ଡ.ମହାଲିଙ୍ଗ କହିଛନ୍ତି।