‘ନବୀନ ଓଡ଼ିଶା’କୁ ବିଜୁଙ୍କ କଟାକ୍ଷ: ‘ତୋ ଦୁନିଆରେ ମୋର କି କାମ?’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଉଦିନ ଠାରୁ ‘ନବୀନ ଓଡ଼ିଶା’କୁ ପ୍ରାଥମିକତା ଦେଇଛନ୍ତି, ସେହିଦିନ ଠାରୁ ବାପା ବିଜୁ ପଟ୍ଟନାୟକଙ୍କୁ ଅଲୋଡ଼ା ମଣିଛନ୍ତି । ‘ନବୀନ ଓଡ଼ିଶା’ ପୂର୍ବରୁ ‘ନୂଆ-ଓ ଓ ଯୁବ ଓଡ଼ିଶା’ ଲେଖିବା ପରଠାରୁ ନବୀନବାବୁଙ୍କ ମନପ୍ରାଣ ଓ ବିବେକ କାମ କରୁନି । ନୂଆ-ଓ(ଲୁ)ଙ୍କ ବଳରେ ବିଧାନସଭାର ୧୨୩ ଆସନରୁ ଅଧିକ ଜିତିବାର ଆଶା ରଖିଛନ୍ତି ।

ବୁଦ୍ଧିଜୀବୀମାନେ ନବୀନ ବାବୁଙ୍କ ‘ନବୀନ ଓଡ଼ିଶା’କୁ ନାପସନ୍ଦ କରିଛନ୍ତି । ବିଜେଡି ଅମଳରେ ବିଜୁ ପଟ୍ଟନାୟକଙ୍କ ପ୍ରତିମାର ରକ୍ଷଣା ବେକ୍ଷଣ କରାଯାଉନି । ଏହାଠାରୁ ବଳି ଦୁଃଖଦାୟକ ଆଉ କ’ଣ ହୋଇପାରେ? ବାପାଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରି ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀକୁ ଉପଭୋଗ କରୁଛନ୍ତି; କିନ୍ତୁ ବାପାଙ୍କ ପ୍ରତିମାକୁ ଭଙ୍ଗାରୁଜା ଅବସ୍ଥାରେ ଦେଖି କିପରି ସହି ପାରୁଛନ୍ତି?

ବାପାଙ୍କ ପ୍ରତିମାକୁ ଜରାଜୀର୍ଣ୍ଣ ରଖି ନବୀନ ପଟ୍ଟନାୟକ କୋଉ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ଆହ୍ୱାନ କରୁଛନ୍ତି ।

୨୦୨୩ ମସିହାରେ ଜଳେଶ୍ୱର ବ୍ଲକ ଆରୁଆ ପଂଚାୟତ ଶାଳିକୋଠା ଗାଁରେ ବିଜୁ ପଟ୍ଟନାୟକଙ୍କ ପ୍ରତିମା ପ୍ରତିଷ୍ଠା କରାଯାଇଥିଲା । ବର୍ଷେ ନପୁରୁଣୁ ଉକ୍ତ ପ୍ରତିମା ଅଲୋଡ଼ା ହୋଇସାରିଛି । ବିଜୁବାବୁଙ୍କ ବିକୃତ ପ୍ରତିମାଟି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଉପହାସ କରି କହୁଛି, ହଉରେ ପୁଅ, ଭଗବାନ ତୋର ମଙ୍ଗଳ କରନ୍ତୁ । ମୋର ଦିନକାଳ ସରିଯାଇଛି, ତୋ ଦୁନିଆରେ ମୋର କି କାମ?