ବିଜେଡିର ନିମ୍ନଗାମୀ ଲୋକପ୍ରିୟତାକୁ ହିଂସାଦ୍ୱାରା ରୋକାଯାଇ ପାରିବ ନାହିଁ

ଭୁବନେଶ୍ୱର: ପରାଜୟ ଭୟରେ ଝାରସୁଗୁଡା ଉପନିର୍ବାଚନକୁ ହିଂସାଭିମୁଖୀ କରିବା ପାଇଁ ବିଜୁ ଜନତା ଦଳ ଷଡଯନ୍ତ୍ର ଆରମ୍ଭ କରିଛି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଏବଂ ଦଳର ତାରକା ପ୍ରଚାରକମାନଙ୍କର ମୁକ୍ତ ଯାତାୟତକୁ ପ୍ରତିବନ୍ଧକ ସୃଷ୍ଟି କରୁଛି ବିଜେଡି । ଗତ ୩ତାରିଖ ଦିନ ଲାଇକେରା ଥାନା ଅନ୍ତର୍ଗତ ନୀକତିମାଲ ଗାଁରେ ଦଳର ବନବାସୀ ବିଧାୟିକା କୁସୁମ ଟେଟେଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ଶ୍ରୀମତୀ ଟେଟେ ମାମଲା ରୁଜୁ ପାଇଁ ଥାନାକୁ ଯାଇଥିବାବେଳେ ବିଜେଡି ସଶସ୍ତ୍ର ଗୁଣ୍ଡାବାହିନୀ ଥାନା ପରିସରରେ ତାକୁ ବାଧା ଦେଇଥିଲେ । କିନ୍ତୁ ସବୁ ଦେଖି ଚୁପ୍ ରହିବା ପୋଲିସକଳର ଅସହାୟତାଙ୍କୁ ପଦାରେ ପକାଇଛି । ଶ୍ରୀମତୀ ଟେଟେଙ୍କ ଘଟଣା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ରାଜ୍ୟର ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିଥିଲାବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳା ବିଧାୟିକାଙ୍କୁ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିବା ସହ ଧମକ ଦେବା ଅତ୍ୟନ୍ତ ଲଜ୍ଜ୍ୟା ଓ ପରିତାପର ବିଷୟ । କୌଣସି ସମାଜରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିବାର ପରବର୍ତୀ ପର୍ଯ୍ୟାୟରେ ଉକ୍ତ ସମାଜକୁ ‘ଆନାର୍‌ର୍କି’ କବଳିତ କରିଦିଏ ଏବଂ ଓଡିଶା ସେହି ଦିଗରେ ଗତି କରୁଛି । ଝାରସୁଗୁଡାର ଉପନିର୍ବାଚନରେ ବିଜେଡିର ନିମ୍ନଗାମୀ ଲୋକପ୍ରିୟତାକୁ ହିଂସା ଦ୍ୱାରା ରୋକିବା ପାଇଁ ଚାଲିଥିବା ଷଡଯନ୍ତ୍ର ଶେଷରେ ବିଫଳ ହେବ ବୋଲି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଝାରସୁଗୁଡା ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ସହ ବିଧାୟକଙ୍କ ଏତଲାରେ ଦିଆଯାଇଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଆଗାମୀ ୧୦ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନ ଶାନ୍ତି, ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଯଥେଷ୍ଟ ସଶସ୍ତ୍ର କେନ୍ଦ୍ରୀୟ ବାହିନୀଙ୍କୁ ମୁତୟନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଅନିଲ ବିଶ୍ୱାଳ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।