ଦଳଡ଼ିଅାଁ ନେତାଙ୍କ ବଳରେ ବଳୀୟାନ ହୋଇପାରିବନି ବିଜେପି

ଭୁବନେଶ୍ୱର: ଦଳୀୟ ଟିକେଟରୁ ବାଦ ପଡ଼ିବା ଜାଣି ଦଳ ଛାଡ଼ିବା ଓ ଦଳରେ ଯୋଗଦାନ କରିବା ସାଧାରଣତଃ କ୍ଷମତାଲୋଭୀ ଅବା ସୁବିଧାବାଦୀ ରାଜନେତାଙ୍କ ପ୍ରକୃତି । ସେମାନଙ୍କ ନିକଟରୁ ଗରିବ ଭୋଟର କିଛି ଲାଭ ପାଇବେନି । ତେଣୁ ସେଭଳି ନେତା ଗୋଟିଏ ବି ଭୋଟ ପାଇବାର ହକଦାର ନୁହନ୍ତି ।

ପରିବାର ଭିତରେ ବାପା ହେଉଛନ୍ତି ମୁଖିଆ । ତାଙ୍କ ପରଲୋକ ପରେ ପରିବାରର ବଡ଼ପୁଅ ମୁଖିଆ ଆସନ ପାଇଁ ହକଦାର । ମୁଖିଆଙ୍କ ନିର୍ଦ୍ଦେଶରେ ଘର ବା ପରିବାରରେ ସବୁ କାମ ସମ୍ପାଦିତ ହୋଇଥାଏ । ଯୋଉମାନେ ବିଜେଡି, ବିଜେପି ଓ କଂଗ୍ରେସ ଟିକେଟରେ ବିଧାୟକ ଓ ସାଂସଦ ହୋଇସାରିଛନ୍ତି । ସେମାନେ ଦଳୀୟ ଟିକେଟରୁ ବଂଚିତ ହୋଇ ଅନ୍ୟ ଦଳକୁ ଡେଇଁବାର ମାନେ କ’ଣ?

ଦଳଡିଅାଁ ନେତାମାନେ କେବେ କୌଣସି ଦଳ ପ୍ରତି ସମର୍ପିତ ଭାବନା ରଖି କାମ କରି ନଥାନ୍ତି । ସେମାନେ ସବୁବେଳେ ଆପଣା ମତଲବରେ ରହି କାମ କରନ୍ତି ।

ନିକଟରେ ଭର୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ବିଜେପିକୁ ଡେଇଁଛନ୍ତି । ଅତୀତରେ ବୈଜୟନ୍ତ ପଣ୍ଡା ବିଜେଡିରୁ ବିଜେପିକୁ ଡେଇଁ ତାଙ୍କର ଲୋକପ୍ରିୟତା ପ୍ରମାଣ କରିସାରିଛନ୍ତି । ଲୋକପ୍ରିୟତାକୁ ଇଭିଏମ୍‌ ଜରିଆରେ ପ୍ରମାଣିତ କରିବା ଜରୁରୀ ।

ଚଳିତ ନିର୍ବାଚନରେ ବୈଜୟନ୍ତ, ଭର୍ତୃହରି, ସିଦ୍ଧାନ୍ତ ସେମାନଙ୍କର ଲୋକପ୍ରିୟତା ପ୍ରମାଣ କରିବେ ।

ବିଜେପିରୁ ଟିକେଟ୍‌ ନପାଇ କିଛି ନେତା ବିଜେଡି ଓ କଂଗ୍ରେସରେ ଯୋଗଦାନ କରିଛନ୍ତି । ଗରିବ ଭୋଟରମାନଙ୍କୁ ମୋର ଏତିକି ଅନୁରୋଧ ଯେ ସେମାନେ ଦଳଡ଼ିଅାଁ ନେତାଙ୍କ ଉପରେ ଗଭୀର ବିଶ୍ୱାସ ରଖି ସେମାନଙ୍କୁ ଭୋଟ ଦିଅନ୍ତୁନି ।

ଏମିତି ତ ସବୁ ରାଜନୈତିକ ଦଳ କ୍ଷମତାକୁ ଯାଇ ମାଗଣା ଚାଉଳ ଓ ଟଙ୍କା କେଇଟା ହାତରେ ଧରାଇ ରାଜ୍ୟର ତିନିକୋଟି ଗରିବ ଭୋଟରଙ୍କୁ ଉପହାସ କରିଚାଲିଛନ୍ତି । ଦଳଡିଅାଁ ନେତାମାନେ ଆଉ ଅଧିକ କ’ଣ କରିପାରିବେ?