ନିର୍ବାଚନ ଫଳାଫଳ କିଛି ଭଲ ହେବନି

ଭୁବନେଶ୍ୱର: ମାର୍ଚ୍ଚ ୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶା ଆସିବା ପରଠାରୁ ବିଜେଡି-ବିଜେପି ମେଂଟ ଆଲୋଚନା କ୍ରମେ ଆଉ ଦଳୀୟ ପରିସରଭୁକ୍ତ ହୋଇ ରହିନାହିଁ । ବାଟରେ ଘାଟରେ ଚା’ ଦୋକାନ ଆଗରେ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ବିଜେଡି-ବିଜେପି ମେଂଟ ଆଲୋଚନା ଚାଲିଛି । ରାଜନେତାଙ୍କଠାରୁ ସାଧାରଣ ବସ୍ତିବାସିନ୍ଦାଙ୍କ ମନରେ ବିଜେଡି-ବିଜେପି ଚର୍ଚ୍ଚା କ୍ରମେ ଗଣ୍ଡଗୋଳିଆ ପରିସ୍ଥିତିକୁ ଡାକି ଆଣୁଛି ।

ଚଣ୍ଡିଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ନବୀନଙ୍କୁ ପ୍ରଶଂସା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରୁ ମୋଦୀଙ୍କ ପ୍ରଶଂସା ଶୁଣିବା ପରେ ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କୁ ‘କାହାକୁ ଭୋଟ ଦେବେ’ ଚିନ୍ତା ଘାରିଛି ।

ଉଭୟ ଦଳର ନେତାମାନେ ଘନଘନ ନୂଆଦିଲ୍ଲୀ ଉଡ଼ି ଯାଉଛନ୍ତି । ସେଠାରୁ ଫେରିଆସି ଆପଣା ଆପଣା ପତିଆରା ଦେଖାଉଛନ୍ତି । ଗଣମାଧ୍ୟମ ଆଗରେ ଉଭୟ ଦଳର ନେତାମାନେ ବିକର୍ଷଣ ରୂପ ଦେଖାଉଛନ୍ତି ।

ରାଜନେତାମାନେ ମନେରଖନ୍ତୁ, ରାଜ୍ୟର ସାଢେ଼ ତିନିକୋଟି ଭୋଟରଙ୍କ ଆଗରେ ବେଶି ନାଟ କରିବ ତ ନିର୍ବାଚନ ଫଳାଫଳ କିଛି ଭଲ ହେବନି ।