ବିଜେଡିରେ ସବୁ ଅଗାଡ଼ି, ଏକା ପାଣ୍ଡିୟାନ ଗାଡ଼ି

ନେତାଗିରି କରିବା ପାଇଁ ଆଇଏଏସ ଚାକିରି ଛାଡ଼ି ବିଜେଡିରେ ପ୍ରବେଶ କରିଛନ୍ତି ଭିକେ ପାଣ୍ଡିୟାନ । ରାଜ୍ୟର ସାଢେ଼ ୩ କୋଟି ୩୦ ଲକ୍ଷ ଭୋଟରଙ୍କ ଭିତରୁ କୌଣସି ଜଣକ ଉପରେ ଭରସା କରିପାରିଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କ ହାତରେ ସାଢେ଼ ଚାରିକୋଟି ଲୋକଙ୍କ ଭାଗ୍ୟକୁ ଧରାଇବାର ଅପଚେଷ୍ଟା ଚାଲିଛି ।

ସିଧାସଳଖ ନିର୍ବାଚନରେ ଲଢ଼ିବାର ସତ୍‌ ସାହସ ହରାଇଥିବା ପାଣ୍ଡିୟାନ ପଛକବାଟ ଦେଇ ମୁଖ୍ୟମନ୍ତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି । ବିଜେଡି ମୁଖିଆଙ୍କ ଚଳନ୍ତି ପ୍ରତିମା ଭାବେ ରାଜ୍ୟର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକଙ୍କ କାନରେ ବିକାଶର ମିଛ କଥାଗୁଡ଼ାକ ବଖାଣୁଛନ୍ତି ।

ଆପଣା ଗୁରୁଚଣ୍ଡାଳ ଦୋଷ ଘୋଡ଼ାଇବା ପାଇଁ ବିରୋଧୀ ଦଳ ମୁଣ୍ଡରେ ନାନା ଦୋଷ ଲଦୁଛନ୍ତି ।

ବାବୁ ପାଣ୍ଡିୟାନ ସମ୍ବଲପୁର, ବରେଇପାଲି, ରେଙ୍ଗାଳି ଯାଇ ସେଠାରେ ଅନୁଷ୍ଠିତ ଜନସଭାରେ କହିଛନ୍ତି ଯେ ସେ ଅନ୍ୟ ଲୋକଙ୍କ ଭଳି ନୁହନ୍ତି । ଲୋକଙ୍କ ପାଖରେ ପହଂଚିବାକୁ ମୁଖ୍ୟମନ୍ତ୍ରୀ ଏକା ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଯୋଜନା ଗୁଡ଼ିକର ଘୋଷଣା କରିପାରନ୍ତି । ମାତ୍ର ତା’ର ବାସ୍ତିବକ ରୂପରେଖ ଦେଖିବାର ଦାୟିତ୍ୱ ଚଳନ୍ତି ପ୍ରତିମାକୁ ଦିଆଯାଇଛି । ରାଜ୍ୟର ପ୍ରତିଟି ଯୋଜନାରୁ ପ୍ରାୟ ୩୦ ଭାଗ ବିଜେଡି ପକେଟକୁ ଯିବାର ସୁନ୍ଦର ବାଟ ତିଆରି କରାଯାଇଛି ।

ବିଜେଡିର ଆଉ କୌଣସି ବିଧାୟକ ଓ ସାଂସଦମାନେ ପାଣ୍ଡିୟାନଙ୍କ ଭଳି ଧୂର୍ତ ହୋଇ ପାରୁନାହାନ୍ତି । ତେଣୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟଭାଜନ ହୋଇ ପାରୁନାହାନ୍ତି ।

କଳାହାଣ୍ଡିର ଶ୍ରୀକୃଷ୍ଣନଗରରେ ପହଂଚି ବାବୁ ପାଣ୍ଡିୟାନ ନବୀନ ଓଡ଼ିଶା’ ସଭାରେ ଯୋଗଦାନ କରିଥିଲେ । କଳାହାଣ୍ଡିରୁ ସେ ଓଡ଼ିଆ ଭାଷା ଶିଖିଥିବା ବିଷୟ ଜଣାଇ କଳାହାଣ୍ଡିକୁ ସବୁଦିନ ପାଇଁ ମନେରଖିବେ ବୋଲି କହିଛନ୍ତି । ମାତ୍ର ତାଙ୍କ ଗଡ୍‌ ଫାଦର ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ଭିତରେ କାଗଜ ଉପରୁ ମୁହଁ ଉଠାଇ ଓଡ଼ିଆରେ ଗୋଟିଏ ବାକ୍ୟ କହିବାକୁ ଅଯୋଗ୍ୟ ବୋଲି କହିଲେନି ।

କଳାହାଣ୍ଡି ମାଟିରେ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀଙ୍କର ଯୋଉ ଗୁଣଗୁଡ଼ିକ ଗାନ କଲେ; ସେଗୁଡ଼ିକ ଗରିବ ଜନତାଙ୍କ ଗୋଟିଏ କାନରେ ପଶି ଆର କାନ ବାଟ ଦେଇ ବାହାରି ଯାଇଛି । କଳାହାଣ୍ଡି ଜନତାଙ୍କୁ ପାଣ୍ଡିୟାନ ବୋକା ଭାବୁଛନ୍ତି । କଳାହାଣ୍ଡି ଜନତା ରାଗିଲେ ବିଶ୍ୱାସଘାତକକୁ କିଭଳି ଦଣ୍ଡ ଦେଇପାରନ୍ତି; ତାହା ହୁଏତ ପାଣ୍ଡିୟାନ ଜାଣିନାହାନ୍ତି ।