‘ନବୀନ ଓଡ଼ିଶା’ର ମହାଭେଳିକି ରାଜନୀତିର ଶୁଭାରମ୍ଭ

ଜାଗା ନୁହେଁ ବସ୍ତିବାସିନ୍ଦାଙ୍କୁ ଏବେ ଆବାସ

ଭୁବନେଶ୍ୱର ମହାନଗର ନିଗମରେ ପ୍ରାୟ ଅତି କମ୍‌ରେ ୨ ଲକ୍ଷରୁ ଅଧିକ ବସ୍ତିବାସିନ୍ଦା ଅଛନ୍ତି । ସେମାନଙ୍କ ଭିତରୁ ଅଳ୍ପ କିଛି ପରିବାରକୁ ଘର ଧରାଇ ଅନ୍ୟମାନଙ୍କୁ ସପନ ଦେଖାଇ ନିର୍ବାଚନ ଜିତିବାର ଲକ୍ଷ୍ୟ ରଖିଛି ବିଜେଡି । ୨୩ ବର୍ଷ ଧରି ରାଜ୍ୟର ସାଢେ଼ଚାରି କୋଟି ଜନତାଙ୍କୁ ଅସୁମାରି ସପନ ଦେଖାଇଚାଲିଛି ବିଜେଡି ସରକାର । ଥରଥର କରି ୫ ଥର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇବା ପରେ ମଧ୍ୟ ବିଜୁବାବୁଙ୍କ ସ୍ୱପ୍ନର ତାଲିକାରେ କ’ଣ କ’ଣ ଥିଲା, ତାହା ଜାଣି ପାରିଲେନି ନବୀନ ପଟ୍ଟନାୟକ । ଅନ୍ୟ ଉପାୟ ନପାଇ ବାପାଙ୍କ ସ୍ୱପ୍ନକୁ ସମାଧି ଦେଇ ଆରମ୍ଭ କରିଛନ୍ତି ନବୀନ ଓଡ଼ିଶା ।

ସହରାଂଚଳର ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ ଆରମ୍ଭ କରାଗଲା । ସେଇଟା ବିଜୁବାବୁଙ୍କ ସ୍ୱପ୍ନର ଅଂଶ ଥିଲା କି ନଥିଲା ନବୀନବାବୁ ଜାଣନ୍ତି । ଏବେ ନବୀନ ଓଡ଼ିଶା’ର ପ୍ରଥମ ପାହାଚରେ ବିଜେଡି ସରକାର ‘ଜମି ନୁହେଁ ଆମ ପାଇଁ ଲୋକେ ଗୁରୁତ୍ୱପୂର୍ଣ୍ଣ’ ସ୍ପଷ୍ଟ କରିଛନ୍ତି । ଏହି କ୍ରମରେ ଜମି ବଦଳରେ ଲୋକଙ୍କୁ ଘର ଯୋଗାଇବାର ପ୍ରତିଶ୍ରୁତି ଦିଆଯାଇଛି । ନବୀନଙ୍କ ଅମଳରେ କୋଉ ପ୍ରତିଶ୍ରୁତିଟା ଶତପ୍ରତିଶତ ସଫଳ ହୋଇଛି; ତାର ଗୋଟିଏ ତାଲିକା ବିଜ୍ଞାପନ ଆକାରରେ ସରକାର ଜଣାଇବେ କି? ଏ ପ୍ରଶ୍ନ ପଚାରିଛି ଆମ ଜନତା ଦଳ ।

ଆମ ଜନତା ଦଳ କହିଛି, ବିଜୁବାବୁଙ୍କ ସ୍ୱପ୍ନକୁ ପୂରଣ କରିବାର ଦ୍ୱାହି ଦେଇ ଭୋକିଲା ଲୋକଙ୍କୁ ଚାଉଳ ମୁଠାଏ ଧରାଇ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ କଟାଇ ଦେଲଣି । ଏବେ ନବୀନ ଓଡ଼ିଶା ଭେଳିକି ଦେଖାଇ ଆହୁରି କେତେପାଳି ମୁଖ୍ୟମନ୍ତ୍ରୀ ଆସନକୁ ମାଡ଼ି ବସିବାର ସପନ ଦେଖୁଛନ୍ତି ନବୀନ ପଟ୍ଟନାୟକ ।

ଦୁଇ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସର କଳା କାରନାମା ସାଙ୍ଗକୁ ବିଜେଡିର ମହାଭେଳିକି ଭାରି ମାନୁଛି..
ଓଡ଼ିଶାର ୩ କୋଟି ଭୋଟରଙ୍କ ମୁହଁକୁ ଲାଜ ନାହିଁ । କୁକୁରଟିଏ ଖଣ୍ଡିଏ ରୁଟି ଲୋଭରେ ଗୋଟିଏ କିଲୋମିଟର ଧାଇଁବା ପରେ ରୁଟି ନପାଇଲେ ଫେରିଯାଏ ପୁରୁଣା ଜାଗାକୁ । ମାତ୍ର ଆମ ଭୋଟରମାନେ ୨୩ ବର୍ଷ ଧରି ବିଜେଡି ପଛରେ ଆଖିବୁଜି ଧାଇଁଛନ୍ତି । ନା ମିଳୁଛି ସେମାନଙ୍କୁ ସ୍ଥାୟୀ ରୋଜଗାର, ନା ମିଳୁଛି ସେମାନଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ।

ଝିଂଟିକା ମାରି ବଣି ପୋଷିବା ଯୋଉ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେଠାରେ ଝିଂଟିକାର ଭାଗ୍ୟ ବଦଳିବାର ପ୍ରଶ୍ନ ନାହିଁ । ସରକାର ତିନୋଟି ପ୍ରକଳ୍ପକୁ ଦେଖାଇ ସାରା ବସ୍ତିବାସିନ୍ଦାଙ୍କ ଭୋଟ ହାତେଇ ନେବାକୁ ବସିଛନ୍ତି ।