ଚାଲ କରିବା ଠିଆପାଲା: ଡିସେମ୍ବର ୩୦ ଯାଏ ବିଧାନସଭା ଅଧିବେଶନ

ମଙ୍ଗଳବାରଠାରୁ ଡିସେମ୍ବର ୩୦ ତାରିଖ ଯାଏ ବିଧାନସଭା ଅଧିବେଶନ ଚାଲିବା କାର୍ଯ୍ୟକ୍ରମ ରହିଛି । ନବୀନ ସରକାରଙ୍କୁ ଘେରିବା ପାଇଁ ଦୁଇ ପ୍ରମୁଖ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ହୋଇଛନ୍ତି । ଡିସେମ୍ବର ୩୦ ତାରିଖ ଯାଏ ବିଧାନସଭା ଚାଲିବ କି ନା’ ତାହା ଉପରେ ସନ୍ଦେହ ରହିଛି । ରାଜା ଦୟାଳୁ, ବୁଝିଲେ ଖମ୍ବଆଳୁ । ମନ ଠିକ ଥିଲେ ବିଧାନସଭା ଅଧିବେଶନ ମାସାଧିକ ଚାଲିବ; ତା’ ନହେଲେ ଯେକୌଣସି ଦିନ ଅଧିବେଶନକୁ ସ୍ଥଗିତ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇହେବନି । କେନ୍ଦ୍ର ବିଜେପିର ଦୂରାବସ୍ଥା ନକହିଲେ ଭଲ । ରାଜ୍ୟ ବିଜେପି ସ୍ୱାସ୍ଥ୍ୟ ଜମାରୁ ଭଲ ନାହିଁ ।

ଆଗାମୀ ନିର୍ବାଚନକୁ କେମିତି ପାରିହେବେ, ସେଥିପାଇଁ ସବୁ ରାଜନୈତିକ ଦଳ ଅଂଟା ଭିଡୁଥିବାରୁ ବିଧାନସଭା ଅଧିବେଶନ ଏକ ଔପଚାରିକତା ବୋଲି ଧରି ନିଆଯାଇଛି । ଚାଷୀ ଆତ୍ମହତ୍ୟା, ଶସ୍ୟର ଅଭାବି ବିକ୍ରି, ରାଜ୍ୟରେ ଶସ୍ୟ ସଂରକ୍ଷଣ ଅବ୍ୟବସ୍ଥା, ସରକାରୀ ଅର୍ଥର ଦୁରୂପଯୋଗ, ସରକାରଙ୍କ ଯୋଜନାରେ ଶଙ୍ଖଚିହ୍ନ ବ୍ୟବହାର, ଠିକା କର୍ମଚାରୀଙ୍କ ଝୁଲନ୍ତା ଭବିଷ୍ୟତ ଭଳି ନାନା ପ୍ରସଙ୍ଗ ରହିଛି ।

ଶାସକ ବିଜେଡି ମଧ୍ୟ ବିରୋଧୀଙ୍କ ମୁହଁରେ ତୁଣ୍ଡି ଲଗାଇବା ପାଇଁ ତୟାର । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ବିଲ ଲାଗୁ ବିଳମ୍ବ, ରେଳଲାଇନ୍‌ ତିଆରି କାମ ମନ୍ଥର, ବକେୟା ଅର୍ଥ ପ୍ରଦାନ ଭଳି ପ୍ରସଙ୍ଗ ଶାସକ ବିଜେଡିର ପୁରୁଣା ଅସ୍ତ୍ର । ଏହି ଅସ୍ତ୍ର ବ୍ୟବହାର କରିବା ପାଇଁ ବିଜେଡିକୁ ସୁଯୋଗ ମିଳିବନି । ତା’ର କାରଣ ହେଉଛି ସୁପ୍ରିମକୋର୍ଟଙ୍କ ଛାଟରେ କେନ୍ଦ୍ର ବିଜେପି ମଳିନ ପଡ଼ିଗଲାଣି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚଉକି ହଲିବା ଦେଖି ରାଜ୍ୟ ବିଜେପି ପାଟି ଖନି ମାରିଗଲାଣି ।